ନୂଆଦିଲ୍ଲୀ: ସୋମବାର ରୁଷ ଏହାର ସବୁଠାରୁ ସୁରକ୍ଷିତ ଏବଂ ରହସ୍ୟମୟ କୁହାଯାଉଥିବା 'Tu-214PU' ବିମାନକୁ ଇରାନ ପଠାଇଥିଲା। ଯାହାପରେ ଆମେରିକା ଏବଂ ଇରାନ ଯୁଦ୍ଧରେ ରୁଷର ଏଣ୍ଟ୍ରି ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ହେଲେ ଏହାରି ମଧ୍ୟରେ ଆଉ ଏକ ଖବରକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଏହି ବିମାନରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ଗୁପ୍ତ ଭାବେ ଚୀନ୍ ସ୍ଥାନାନ୍ତର କରାଯାଇଥିବା ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ରୁଷିଆର ସବୁଠାରୁ ସୁରକ୍ଷିତ ଏବଂ ରହସ୍ୟମୟ କୁହାଯାଉଥିବା ଏହି 'Tu-214PU' ବିମାନ ପ୍ରଥମେ ମସ୍କୋରୁ ତେହେରାନ ଏବଂ ପରେ ସେଠାରୁ ବେଜିଂ ଉଡ଼ାଣ ଭରିଥିଲା। ଯାହା ମୋଜତାବାଙ୍କୁ ଚୀନ ସ୍ଥାନାନ୍ତର କରାଯାଇଥିବା ସନ୍ଦେହକୁ ଆହୁରି ବଢ଼ାଇଛି। ଫ୍ଲାଇଟ୍ ରାଡାର୍-୨୪ର ସୂଚନା ଅନୁଯାୟୀ, ରୁଷ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ହିଁ ଏହି ସ୍ୱତନ୍ତ୍ର ବିମାନ ପରିଚାଳିତ ହୋଇଥିଲା।

Also Read: ହର୍ମୁଜରେ ଭାରତୀୟ ନାବିକଙ୍କ ମୃତ୍ୟୁକୁ ନେଇ ନୂଆଦିଲ୍ଲୀରେ ହଲଚଲ୍ ! ଇରାନ କୂଟନୀତିଜ୍ଞଙ୍କୁ MEAର ସମନ

କାହିଁକି ହେଉଛି ମୋଜତାବାଙ୍କ ଚୀନ୍ ସ୍ଥାନାନ୍ତର ଚର୍ଚ୍ଚା?

ଚିକିତ୍ସା ପାଇଁ ଚୀନ୍ ସୁରକ୍ଷିତ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ଏକ ଆକ୍ରମଣ ପରଠାରୁ ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପୂର୍ବରୁ ସେ ମସ୍କୋରେ ଚିକିତ୍ସିତ ହେଉଥିବା ଖବର ଆସିଥିଲା। ମାତ୍ର ୟୁକ୍ରେନ ଆକ୍ରମଣ ଯୋଗୁ ମସ୍କୋ ଅସୁରକ୍ଷିତ ଥିବାରୁ ଏବେ ତାଙ୍କୁ ଚୀନ୍ ନିଆଯାଇଥିବା ଅନୁମାନ କରାଯାଉଛି।

ଦୀର୍ଘ ଦିନରୁ ଅନ୍ତର୍ଦ୍ଧ୍ୟାନ: ଚଳିତ ବର୍ଷ ଫେବୃଆରୀ ମାସରେ ହୋଇଥିବା ଆକ୍ରମଣ ପରଠାରୁ ମୋଜତାବାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ଏପରିକି ନିଜ ପିତା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ସେ ଅନୁପସ୍ଥିତ ଥିଲେ।

ଗୁପ୍ତଚର ଭୟ: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଆମେରିକା ଓ ଇସ୍ରାଏଲର ଗୁପ୍ତଚରମାନେ ସର୍ବୋଚ୍ଚ ନେତାଙ୍କ ସନ୍ଧାନ ନେଇପାରନ୍ତି ବୋଲି ଆଶଙ୍କାରେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥାଇପାରେ।

ଚୀନ୍- ଇରାନ ବନ୍ଧୁତା: ଚୀନ୍ ସବୁବେଳେ ଆର୍ଥିକ ଏବଂ ସାମରିକ ସ୍ତରରେ ଇରାନକୁ ସହଯୋଗ କରିଆସିଛି। ଏହାସହ ଚୀନରୁ କୌଣସି ଗୁପ୍ତ ତଥ୍ୟ ଲିକ୍ ହେବା ସହଜ ନୁହେଁ।

Also Read: ଶନି-ରବି-ସୋମ...ହର୍ମୁଜକୁ ନେଇ ତିନିଦିନରେ ଭିନ୍ନ ଭିନ୍ନ ବୟାନ, ଖୋଲିବ ତ' ଜଳମାର୍ଗ ?

କାହିଁକି ସ୍ୱତନ୍ତ୍ର ଏହି'Tu-214PU'ବିମାନ?

ଏହି ବିମାନକୁ ରୁଷିଆର ସବୁଠାରୁ ସୁରକ୍ଷିତ ଏୟାରକ୍ରାଫ୍ଟ କୁହାଯାଏ। ଉଡ଼ାଣ ସମୟରେ କୌଣସି ରାଡାର ବା ସିଗନାଲ୍ ଏହାକୁ ଟ୍ରାକ୍ କରିପାରେନାହିଁ। ଏପରିକି ଏହା ଉପରେ କୌଣସି ମିସାଇଲ୍ ମାଡ଼ର ପ୍ରଭାବ ମଧ୍ୟ ସହଜରେ ପଡ଼ିନଥାଏ। ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ଇରାନ କିମ୍ବା ରୁଷ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।