ଭୁବନେଶ୍ବର ୨୧।୧୧: ବାତ୍ୟା ‘ଅକଭାନ୍’ର ପ୍ରଭାବ କମିଛି । ବଦଳିଛି ରାଜ୍ୟରେ ପାଣିପାଗ । ଧୀରେ ଧୀରେ ଆହୁରି କମିବ ବର୍ଷାର ପରିମାଣ, ବଢ଼ିବ ଶୀତ । ଆଗାମୀ ୬ରୁ ୭ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ବିଶେଷ ନଥିବା ବେଳେ ରବିବାର ଠାରୁ ସମଗ୍ର ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡ. ରାଜଶ୍ରୀ ।

ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୨ରୁ ୩ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ତେବେ ପରବର୍ତ୍ତୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି ।

Also Read:- IMD ଡିଜିଙ୍କ ବଡ଼ ବୟାନ, ୧୯୭୬ ଓ ୧୯୮୭ରେ ମଧ୍ୟ ଦେଖାଦେଇଥିଲା ଏଭଳି ସ୍ଥିତି

ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ । ଆଗାମୀ ଦିନରେ ରାଜ୍ୟର ଅଧିକ ଜିଲ୍ଲାକୁ କୁହୁଡ଼ି ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ବ୍ୟାପକ ବର୍ଷା ରେକର୍ଡ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ଏବଂ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ୧୦୮.୬ ମିଲିମିଟର ବର୍ଷା ହୋଇଛି ।