ଭୁବନେଶ୍ୱର: ରାଜ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୧୧ଟା ୨୦ ସୁଦ୍ଧା ଶେଷ ହୋଇଥିବା ବେଳେ ଏହା ବର୍ତ୍ତମାନ ଦୁର୍ବଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି । ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପରେ ରହିଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବର୍ତ୍ତମାନ ଗୋପାଳପୁରଠାରୁ ୮୦ କିଲୋମିଟର ଉତ୍ତରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଉତ୍ତର ଦିଗକୁ ଗତି କରି ଆହୁରି ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହେବ । ତାର ପରବର୍ତ୍ତୀ ୬ ଘଣ୍ଟା ଭିତରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Also Read: ୬ ଘଣ୍ଟାରେ ଅବପାତରେ ପରିଣତ ହେବ ଅକଭାନ୍, ପାଣିପାଗ ବିଭାଗର ସୂଚନା

ବର୍ତ୍ତମାନ ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇନଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ କମିଯାଇଛି । ତେବେ ଆଜି ରାତି ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଆଦି ଉପକୂଳବର୍ତ୍ତୀ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସକାଳ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବହୁ ପରିମାଣରେ କମିଯିବ । କାଲି ପାଇଁ କୌଣସି ଜିଲ୍ଲାକୁ ସ୍ୱତନ୍ତ୍ର ବର୍ଷା ୱାର୍ଣ୍ଣିଂ ଜାରି କରାଯାଇ ନଥିବା ବେଳେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗଭୀର ଅବପାତ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନ ୭୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା, ଯାହା ଏବେ ଧୀରେ ଧୀରେ କମୁଛି । ଆଜି ରାତି ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟରକୁ ଖସିଆସିବ । ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି ହୋଇଥିବା ସତର୍କ ସୂଚନା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅନ୍ୟପକ୍ଷରେ, ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇ ଖରା ଆସିବା ପରେ ରାଜ୍ୟରେ ଶୀତ ଅନୁଭୂତ ହେବ । ବିଶେଷକରି ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବାରୁ ଲୋକେ ଶୀତ ଅନୁଭବ କରିବେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।