ରାଞ୍ଚୀ: ସାମୁଦ୍ରିକ ବାତ୍ୟା ‘ଅକ୍‌ଭାନ୍’ ପ୍ରଭାବରେ ପାଗ ବିଗିଡିଯିବାରୁ ଶନିବାର ରାଞ୍ଚୀର ବିରସାମୁଣ୍ଡା ଏୟାରପୋର୍ଟରୁ ଅନୁନ୍ୟ ୨୦ଟି ଉଡାଣ ବାତିଲ ହୋଇଛି। ବାତ୍ୟା ଯୋଗୁ ୨୦ ନଭେମ୍ବର ଶୁକ୍ରବାର ଝାଡଖଣ୍ଡ ଆକାଶ ଘନ ବାଦଲରେ ଛାଇ ରହିଥିଲା ସାଙ୍ଗକୁ ରହି ରହି ବର୍ଷା ମଧ୍ୟ ହେଉଥିଲା। ଏଥିରେ ବିମାନର ସୁରକ୍ଷିତ ଅବତରଣ ଓ ଉଡାଣ ଲାଗି ୧,୨୦୦ରୁ ୧୫,୦୦ ମିଟରର ଦୃଶ୍ୟତା ଆବଶ୍ୟକ ହୋଇଥାଏ। ତେବେ ଏୟାରପୋର୍ଟ ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି ଯେ ବିମାନବନ୍ଦରରେ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୃଶ୍ୟତା ୧୦୦୦ ମିଟର ପର୍ଯ୍ୟନ୍ତ ଥିଲା। ଏଣୁ ବିମାନ ବନ୍ଦରର ଜନୈକ ଅଧିକାରୀ କହିଛନ୍ତି ଯେ ଖରାପ ପାଗ କାରଣରୁ ମୋଟ ୨୦ଟି ଉଡାଣ ବାତିଲ ହୋଇଛି। ଏଥିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ୬ଟି ଉଡାଣ ମଧ୍ୟ ରହିଛି।

ପାଗ ଖରାପ କାରଣରୁ ୪ଟି ଉଡାଣର ମାର୍ଗ ବଦଳା ଯାଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ଜନୈକ ଅଧିକାରୀ କହିଛନ୍ତି ଯେ ରବିବାର ବଦଲ ଅପସରିଯିବା ସହ ରାଜ୍ୟରେ ପାଗ ସୁଧୁରିବ। ରାଞ୍ଚୀ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ବାବୁରାଜ ପିପି ଗଣମାଧ୍ୟମକୁ କହିଛନ୍ତି ଯେ ରବିବାର ସୁଧା ପାଗରେ ସୁଧାର ଆସିବ। ହେଲେ ସକାଳବେଳା ଘନ କୁହୁଡି ପଡିପାରେ। ତେବେ ନଭେମ୍ବର ୨୩ ତାରିଖ ବେଳକୁ ଆକାଶ ସଫା ହୋଇଯିବା ସହ ଖରା ପଡିବ ବୋଲି ଅନୁମାନ କରାଯାଉଛି। ଶନିବାର ସକାଳ ସାଢେ ୮ଟା ସୁଦ୍ଧା ପଶ୍ଚିମ ସିଂହଭୂମ ଜିଲ୍ଲା ଚାଇବାସା ସଦରରେ ସର୍ବାଧିକ ୩୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ପାଣିପାଗ ବୁଲେଟିନ ଅନୁସାରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା କାଳରେ ଅଧିକତମ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହା ପରବର୍ତ୍ତି ୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସେହିପରି ଆଗାମୀ ୨ ଦିନରେ ସର୍ବନିମ୍ନ ତାପମାତ୍ରାରେ ୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇପାରେ। ଶନିବାର ରାଞ୍ଚୀରେ ନିମ୍ନତମ ତାପମାତ୍ରା ୧୭.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ସ୍ୱଭାବିକ ତାପମାତ୍ରା ଠାରୁ ୪.୪ ଡିଗ୍ରି ସେଲସିୟସ୍ ଅଧିକ। ସେହିପରି ଜାମସେଦପୁରରେ ନିମ୍ନତମ ତାପମାତ୍ରା ୧୯.୬ ଓ ଡାଲ୍ଟନ ଗଞ୍ଜରେ ୧୯.୮ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।