ନୂଆଦିଲ୍ଲୀ: ଭାରତୀୟ ନାବିକଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଭାରତ ସରକାର। ଇରାନ ପ୍ରଶାସନ ନିକଟରେ ଆନୁଷ୍ଠାନିକ ଭାବେ ନିଜର ଦୃଢ଼ ଆପତ୍ତି ଓ କଡ଼ା ବିରୋଧ ପ୍ରଦର୍ଶନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ସମୁଦ୍ର ପଥରେ ସାଧାରଣ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ଭାରତ ନିଜର ଗଭୀର ଚିନ୍ତା ପ୍ରକଟ କରିବା ସହ ନାବିକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏଭଳି ଆକ୍ରମଣକୁ ନିନ୍ଦା କରିଛି। ଏହା କେଉଁ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟିଲା, ଏନେ ଇରାନ କୂଟନୀତିଜ୍ଞଙ୍କୁ ସମନ କରିଛି MEA।

ଏହି ମାମଲାରେ ସେଲଭ୍ ହେବା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟ (MEA) ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅବସ୍ଥାପିତ ଇରାନର କୂଟନୀତିଜ୍ଞମାନଙ୍କୁ ସମନ କରିଛି। ତଲବ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ଇରାନର ଡେପୁଟି ଚିଫ୍ ଅଫ୍ ମିଶନ (DCM) ମହମ୍ମଦ ଜବାଦ ହୋସେନି ମଧ୍ୟ ସାମିଲ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ଇରାନ ସୀମାନ୍ତରେ ଥିବା ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀର ଓମାନ ସାମୁଦ୍ରିକ ସୀମା ମଧ୍ୟରେ ୟୁଏଇ (UAE) ର ଦୁଇଟି ତେଲ ଟାଙ୍କର 'ମୋମ୍ବାସା' (Mombasa) ଏବଂ 'ଅଲ୍ ବାହିୟା' (Al Bahiyah) କୁ କ୍ରୁଜ୍ ମିସାଇଲ୍ ମାଧ୍ୟମରେ ଆକ୍ରମଣ କରାଯାଇଥିଲା।

ଏହି ମିସାଇଲ୍ ମାଡ଼ ଯୋଗୁଁ 'ମୋମ୍ବାସା' ଜାହାଜରେ କାର୍ଯ୍ୟରତ ଜଣେ ଭାରତୀୟ ନାବିକ ପ୍ରାଣ ହରାଇଥିବା ବେଳେ ମୋଟ ୮ ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନର ନାଗରିକ ଥିବା ଜଣାପଡ଼ିଛି, ଯେଉଁମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଅଞ୍ଚଳରେ ଗତ କିଛି ଦିନ ହେବ ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ବାଣିଜ୍ୟିକ ମାର୍ଗକୁ ବନ୍ଦ କରିବାକୁ ଚେଷ୍ଟା କରୁଛି, ଯେଉଁଥିପାଇଁ ଏହି ଆନ୍ତର୍ଜାତୀୟ ଜଳପଥ ଦେଇ ଯାତାୟାତ କରୁଥିବା ସାଧାରଣ ଜାହାଜ ଓ ଭାରତୀୟ ନାବିକମାନେ ଏହାର ଶିକାର ହେଉଛନ୍ତି।