ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ନିଜ ବୟାନରେ ସାରା ବିଶ୍ୱକୁ ଚକିତ କରାଇଛନ୍ତି । ସେ କହିଛନ୍ତି ଯେ ଆମେରିକା ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବ ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବ । ପ୍ରତିବଦଳରେ ସେହି ବାଟ ଦେଇ ଯାଉଥିବା ସମସ୍ତ କାର୍ଗୋ ଉପରେ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ । ଟ୍ରମ୍ପ ଫକ୍ସ ନ୍ୟୁଜ୍ର ଲୋକପ୍ରିୟ କାର୍ଯ୍ୟକ୍ରମ 'ଫକ୍ସ ଆଣ୍ଡ ଫ୍ରେଣ୍ଡସ୍'ରେ ଏକ ଫୋନ୍ ଇଣ୍ଟରଭ୍ୟୁ ସମୟରେ ଏହି ଘୋଷଣା କରିଛନ୍ତି ।

ସେ କହିଛନ୍ତି, "ଆମେ ଷ୍ଟ୍ରେଟ୍‌କୁ ନିଜ କବଜାରେ ରଖିବୁ, ଏହାକୁ ନିଜେ ପରିଚାଳନା ମଧ୍ୟ କରିବୁ । ଆମେ ଏହାର ରକ୍ଷାକର୍ତ୍ତା ହେବୁ । ଏଥିପାଇଁ ଆମକୁ ସମ୍ପୂର୍ଣ୍ଣ ଖର୍ଚ୍ଚ ଭରଣା ମିଳିବା ଉଚିତ ।"

ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି, ହର୍ମୁଜ୍ ଷ୍ଟ୍ରେଟ୍ ଖୋଲା ଅଛି ଏବଂ ଇରାନ ସହିତ କିମ୍ୱା ତାହା ବିନା ମଧ୍ୟ ଖୋଲା ରହିବ । ଆମେ ଇରାନର ଘେରାବନ୍ଦୀକୁ ଭାଙ୍ଗିବାକୁ ଯାଉଛ ଏବଂ ଆମେରିକୀୟ ଘେରାବନ୍ଦୀ ଲାଗୁ କରିବୁ । ରାଷ୍ଟ୍ରପତି କହିଛନ୍ତି ଯେ ଏହି ଜଳପଥ ଦେଇ ଯାଉଥିବା ସମସ୍ତ କାର୍ଗୋରୁ ୨୦ ପ୍ରତିଶତ ହାରରେ ଖର୍ଚ୍ଚ ଭରଣା କରାଯିବ । ଏହି ଅସ୍ଥିର ଅଞ୍ଚଳରେ ସୁରକ୍ଷା ପ୍ରଦାନ କରିବାର ଖର୍ଚ୍ଚ ଆଦାୟ କରାଯାଇପାରିବ । ସେ କହିଛନ୍ତି, "ଅନ୍ୟ ଦେଶଗୁଡ଼ିକ ବହୁତ ଧନୀ । ସେମାନେ ଆମ ସହିତ ଅଛନ୍ତି । ଆମେ ମାଗଣାରେ ଏହି ସେବା ଦେବା ଠିକ୍ ନୁହେଁ ।"

ଟ୍ରମ୍ପଙ୍କ ଏହି ଘୋଷଣା ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଉପସାଗରୀୟ ଅଞ୍ଚଳରେ ଗତ କିଛି ଦିନ ହେବ ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଭୀଷଣ ହୋଇଛି । ଶନିବାର ଇରାନ ହର୍ମୁଜକୁ ପୁଣିଥରେ ବନ୍ଦ କରିବାକୁ ଘୋଷଣା କରିଥିଲା । ଦାବି କରିଥିଲା ଯେ ବିନା ଅନୁମତିରେ କୌଣସି ଜାହାଜ ଯାଇପାରିବ ନାହିଁ । ରବିବାର ତେହରାନ ପୁଣି କହିଥିଲା, ଜଳପଥ ଏବେ ମଧ୍ୟ ବନ୍ଦ ଅଛି ଏବଂ 'ସ୍ଥିରତା ଓ ଶାନ୍ତି' ଫେରିବା ପରେ ହିଁ ପରମିଟ୍ ଜାରି କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ହର୍ମୁଜ୍ ପ୍ରଣାଳୀ ସାରା ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଯୋଗାଣ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ଅଟେ । ଏଭଳି ପରିସ୍ଥିତିରେ ଯଦି ଆମେରିକା ଏବଂ ଇରାନ ଏଠାରେ ପୁଣି ଥରେ ମୁହାଁମୁହିଁ ହୁଅନ୍ତି, ତେବେ ଆଇ ଥରେ ତେଲ ଦରରେ ନିଆଁ ଲାଗିବା ନିଶ୍ଚିତ । ଏହି କାରଣରୁ ସାରା ବିଶ୍ୱରେ ମୁଦ୍ରାସ୍ଫୀତିକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି ।