ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୮ ସିଟରେ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ବିଜେପି ନିର୍ବାଚନ ଜିତିଛି। କିନ୍ତୁ ପରାଜୟର ଗ୍ଲାନି କେବଳ କଂଗ୍ରେସ ପାଇଁ ନୁହେଁ ବିଜେପି ମଧ୍ୟ ପରିଣାମକୁ ନେଇ ଚିନ୍ତିତ। ହୋଇପାରେ ବିଜେପି ସବୁଠୁ ଅଧିକ ୧୩ଟି ସିଟ୍ ଜିତିଛି, ମାତ୍ର ନାଗପୁର ଏବଂ ବାରାଣସୀରେ ମିଳିଥିବା ପରାଜୟ ଦଳର ଉତ୍ସବକୁ ଫିକା କରି ଦେଇଛି। ଅର୍ଥାତ ଚାହିଁକି ବି ବିଜେପି ମନ ଖୋଲି ଉତ୍ସବ ମନାଇ ପାରୁନି।

ବାରାଣସୀର ଉଭୟ ସିଟରୁ ବିଜେପି ପରାଜିତ ହୋଇଛି। ସବୁଠୁ ବଡ଼ କଥା ଏହି ସଂସଦୀୟ କ୍ଷେତ୍ର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର। ଅନ୍ୟପଟେ ନାଗପୁରରେ ବୁଧବାର ବିଳମ୍ବିତ ରାତିରେ ବିଜୟର ସ୍ଵାଦ ଚାଖିଛି କଂଗ୍ରେସ। କଂଗ୍ରେସ ପାଇଁ ଏହି ବିଜୟ ଏତେ ଗୁରୁତ୍ଵପୂର୍ଣ୍ଣ କାରଣ ନାଗପୁର ହେଉଛି ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(RSS)ର ଗଡ଼। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଗୃହ ଜିଲ୍ଲା। ଏଥିରୁ ଅନୁମାନ କରି ପାରୁଥିବେ ସବୁଠି ବିଜୟଲାଭ କରିଥିବା ବିଜେପି ନିଜର ସବୁଠୁ ସୁରକ୍ଷିତ ଗଡ଼ ବାରାଣସୀ ଏବଂ ନାଗପୁରରେ ପରାଜିତ ହେବା ଏକ ବଡ଼ ରାଜନୈତିକ ସନ୍ଦେଶ ଦେଉଛି।

Also Read: ବିହାର, ୟୁପି ସହ କର୍ଣ୍ଣାଟକରେ ବି ମାଟି କାମୁଡ଼ିଲା କଂଗ୍ରେସ; ବାଲାଟ୍ ପେପରରେ ହୋଇଥିଲା ନିର୍ବାଚନ

ଏବେ କଂଗ୍ରେସର ତାର୍ତ୍ସଲ୍ୟ

କଂଗ୍ରେସ ଏବେ ଗୋଟିଏ ସିଟରେ ଜିତିବା ପରେ ବିଜେପି ବିରୋଧରେ ଆକ୍ରମଣାତ୍ମକ ହୋଇ ଉଠିଛି। କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଗୁରୁବାର କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀଙ୍କୁ ଆତ୍ମ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି, କିନ୍ତୁ ସେ ଅନ୍ୟକୁ ବହୁତ ପ୍ରବଚନ ଦେଉଛନ୍ତି। କଂଗ୍ରେସ କେତେ ସିଟରେ ଜିତିଲା, ତାହା ଗଣିବା ପୂର୍ବରୁ ଯଦି ଏହା ବିଚାର କରିଥାନ୍ତେ ଯେ ନିଜର ସଂସଦୀୟ କ୍ଷେତ୍ର ବାରାଣସୀର ଦୁଇ ସିଟରେ ବିଜେପି କାହିଁକି ହାରିଲା ? ପୁଣି ଆରଏସଏସର ଗଡ଼ ନାଗପୁରରେ କଂଗ୍ରେସ ବିଜେପିକୁ କେମିତି ହରାଇଲା ? ପ୍ରଥମେ ଏହାର ଆତ୍ମ ସମୀକ୍ଷା କରନ୍ତୁ ପ୍ରଧାନମନ୍ତ୍ରୀ।

ତେଣୁ ମୋଦୀ ଜୀ ଟ୍ରୋଲିଂ କରିବା ବନ୍ଦ କରନ୍ତୁ। କୋଟି କୋଟି ପରିବାରର ଆର୍ଥିକ ମେରୁଦଣ୍ଡ ମହଙ୍ଗା ମାଡ଼ରେ ଭାଙ୍ଗି ଗଲାଣି। ଯୁବ ପିଢି ବେରେଜଗାର ଦେଇ ଗତି କରୁଛନ୍ତି ଏବଂ ଘରୋଇ ନିବେଶ ଠପ୍ ହୋଇ ପଡ଼ିଛି। ଅହଙ୍କାରକୁ ଛାଡି ଏହି ପ୍ରସଙ୍ଗ ଉପରେ ବିଚାର କରନ୍ତୁ। ବାରାଣସୀ ଏବଂ ନାଗପୁରଠୁ ନେଇ ଲକ୍ଷ୍ନୌ, ପ୍ରୟାଗରାଜ, ପାଟନାର ଜନତା ସ୍ପଷ୍ଟ ଭାବେ ଆପଣଙ୍କ ନୀତି ବିରୋଧରେ ଅବିଶ୍ଵାସର ପ୍ରସ୍ତାବ ପାରିତ କରିଛନ୍ତି।

Also Read: ହରଦୀପ ସିଂ ପୁରୀଙ୍କୁ ବଡ଼ ଆଶ୍ଵସ୍ତି, ପ୍ରାର୍ଥୀ ଘୋଷଣା ସହ ବଞ୍ଚିଗଲା ମନ୍ତ୍ରୀ ପଦ

ୟୁପିରେ କିଏ ଜିତିଲା ?

ଉତ୍ତର ପ୍ରଦେଶରେ ୧୧ ସିଟ୍ ଉପରେ ନିର୍ବାଚନ ହୋଇଛି। ଏଥିରୁ ବିଜେପି ୬ଟି ସିଟ୍ ଜିତିଥିବା ବେଳେ ସମାଜବାଦୀ ପାର୍ଟି ଗୋଟିଏରେ ବିଜୟଲାଭ କରିଛି। ୟୁପିରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ନିର୍ବାଚନକୁ ସେମି ଫାଇନାଲ୍ ଭାବେ ବର୍ଣ୍ଣନା କରାଯାଉଥିଲା। ବିଜେପି ଲକ୍ଷ୍ନୌ ଶିକ୍ଷକ, ବରେଲି-ମୁରାଦାବାଦ ଶିକ୍ଷକ, ମେରଠ ସ୍ନାତକ, ଆଗ୍ରା ସ୍ନାତକ, ଗୋରଖପୁର ଶିକ୍ଷକ ଓ ମେରଠ ଶିକ୍ଷକ ସିଟରେ ନିର୍ବାଚନ ଜିତିଛି। ଅନ୍ୟପଟେ ସମାଜବାଦୀ ପାର୍ଟି ଆହ୍ଲାବାଦ-ଝାନ୍ସୀ ସ୍ନାତକ, ବାରାଣସୀ ସ୍ନାତକ, ଲକ୍ଷ୍ନୌ ସ୍ନାତକ, ଆଗ୍ରା ଶିକ୍ଷକ ଏବଂ ବାରାଣସୀ ଶିକ୍ଷକ ସିଟରୁ ବିଜୟଲାଭ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଥିଲେ ?

ଏହା ପୂର୍ବରୁ, ବୁଧବାର MLC ନିର୍ବାଚନ ଫଳାଫଳ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ କଟାକ୍ଷ କରି କହିଥିଲେ, "କଂଗ୍ରେସ କେତେ ଆସନ ଜିତିଛି ତାହା ଆକଳନ କର।" ଅନ୍ୟ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ସମାନ କଥା ଏକ୍ସରେ ପୋଷ୍ଟ କରିଥିଲେ। ବିଜେପିର ଅନେକ ବରିଷ୍ଠ ନେତା କଂଗ୍ରେସକୁ ବହୁତ କଟାକ୍ଷ କରିଥିଲେ। ଏବେ ଏହାର ପାଲଟା ଜବାବ ଦେଇଛି କଂଗ୍ରେସ।