ଭୁବନେଶ୍ବର ୨୮।୧୦: ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟପାଳ ବ୍ରଜମୋହନ ରାମଙ୍କ ସମୀକ୍ଷା । ବାତ୍ୟା ମୁକାବିଲା ପାଇଁ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ, ଫସଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ରାଜ୍ୟପାଳ ବ୍ରଜମୋହନ ରାମ । ସରକାରଙ୍କ ପ୍ରସ୍ତୁତିରେ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଜନଜୀବନ, ଫସଲ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟରେ ସତର୍କତା ମଧ୍ୟରେ ଶୂନ୍ୟ ଜୀବନହାନି ସହ ଫସଲ କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ ।

ଲୋକଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ବୈଠକ କରି ବାତ୍ୟା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜ୍ୟପାଳ । ଗଜପତି, ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସ୍ଥିତି ଉପରେ ନଜର ରଖିଥିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି । ସରକାରଙ୍କ ପ୍ରସ୍ତୁତିରେ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଜନଜୀବନ, ଫସଲ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।