ଭୁବନେଶ୍ବର ୨୯।୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଗଞ୍ଜାମର ୨୨ଟି ବ୍ଲକ ଜଳ ବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମର ପାତ୍ରପୁର ବ୍ଲକରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ହୋଇଛି । ଅତୀତର ରେକର୍ଡ ଭାଙ୍ଗିଛି ଗଞ୍ଜାମର ବର୍ଷା । ପୁରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ଗଞ୍ଜାମର ୨୨ ବ୍ଲକର ୨୦୮ ଗ୍ରାମ ପଞ୍ଚାୟତ, ୨୯୯ ଗାଁ ଏବଂ ୧୮ ସହରାଞ୍ଚଳ ପ୍ରଭାବିତ ହୋଇଛି । ୪୨ ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଧରାକୋଟ ବ୍ଲକର ୨ଟି ଗାଁରେ ପାଣି ପଶିଛି । ସେଠାରେ ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି ।

ସାନଖେମୁଣ୍ଡି, ଧରାକୋଟ, ପୁରୁଷୋତ୍ତମପୁରର ପାଣ୍ଡିଆ, ସୋରଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଲୋକେ ପାଣି ଘେରରେ ଅଛନ୍ତି । ବୋଟ୍ ମାଧ୍ୟମରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିବା କଷ୍ଟକର ହେଉଛି । ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗରେ ଅଛନ୍ତି । ଆକାଶରେ ଅଧିକ ବାଦଲ ପାଇଁ ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହେଉନାହିଁ । ପାଗରେ ସୁଧାର ଆସିଲେ ଆରମ୍ଭ ହେବ ଉଦ୍ଧାର କାର୍ଯ୍ୟ । ନାଭାଲର ସାହାଯ୍ୟ ନିଆଯିବ । ଏୟାରଫୋର୍ସର ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛୁ ।

Also Read:- ବିଧାନସଭା ସୁରୁଖୁରୁରେ ଚଳାଇବାକୁ ସବୁ ଦଳକୁ ଅନୁରୋଧ କଲେ ବାଚସ୍ପତି

ଗଞ୍ଜାମରେ ବର୍ତ୍ତମାନ ୫୨ଟି ODRAF ଅଛନ୍ତି, ୩୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସେଠାକୁ ୧୬ରୁ ଅଧିକ ବୋଟ୍ ପଠାଯାଇଛି । ୫ଟି ହାଇପାୱାର ପମ୍ପ ପାଣି ବାହାର ପାଇଁ ଗଞ୍ଜାମ ପଠାଯାଇଛି । ୨୫ଟି ବେସରକାରୀ ବୋଟ୍ ଗଞ୍ଜାମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Watch Video: