ନୂଆଦିଲ୍ଲୀ: ଦେଶର ଚାରି ରାଜ୍ୟରେ ବିଧାନସଭା ପରିଷଦ ନିର୍ବାଚନର ଫଳାଫଳ ଆସିବା ମାତ୍ରେ ଭାରତୀୟ ଜନତା ପାର୍ଟି(BJP) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପ୍ରାର୍ଥୀ କରିଛି ଦଳ। ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ନାଁରେ ମଞ୍ଜୁରୀ ଦେଇଛନ୍ତି। ଉଲ୍ଲେଖନୀୟ ମଧ୍ୟପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

ହରଦୀପ ସିଂ ପୁରୀ ବର୍ତ୍ତମାନ କେନ୍ଦ୍ର ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଅଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବାର ଅର୍ଥ କ୍ୟାବିନେଟରେ ତାଙ୍କ ପଦ ପ୍ରତି କୌଣସି ବିପଦ ନାହିଁ। ଗତ ଦିନରେ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। କିନ୍ତୁ ସେ ସମୟରେ ପୁରୀଙ୍କ ନାଁ ତାଲିକାରେ ନ ଥିଲା। ଏହାକୁ ନେଇ ମନ୍ତ୍ରିମଣ୍ଡଳରେ ପୁରୀ ରହିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଥିଲା। ଏବେ ପୁରୀଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପାଇଁ ବିଜେପି ସ୍ଥିର କରିବା ଅର୍ଥ କ୍ୟାବିନେଟରେ ତାଙ୍କ ପଦ ବଜାୟ ରହିବ।

Also Read: ବିହାର, ୟୁପି ସହ କର୍ଣ୍ଣାଟକରେ ବି ମାଟି କାମୁଡ଼ିଲା କଂଗ୍ରେସ; ବାଲାଟ୍ ପେପରରେ ହୋଇଥିଲା ନିର୍ବାଚନ

କାହିଁକି ହେଉଛି ଉପନିର୍ବାଚନ ?

ଅକ୍ଟୋବର ୧୮ରେ ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ ମୁରୁଗନ କେନ୍ଦ୍ର ମନ୍ତ୍ରୀ ପଦ ସହିତ ରାଜ୍ୟସଭାର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ମୁରୁଗନ ଏକ୍ସରେ ଏହାର ସୂଚନା ଦେଇ କହିଥିଲେ ଯେ, ସେ ତାମିଲନାଡୁରେ ପାର୍ଟିର ସାଂଗଠନିକ କାମ କରିବାକୁ ଚାହାନ୍ତି। ନଭେମ୍ବର ୧୨ରେ ମଧ୍ୟପ୍ରଦେଶର ଗୋଟିଏ ଆସନ ସମେତ ଦେଶର ମୋଟ୍ ୧୧ଟି ରାଜ୍ୟସଭା ସିଟରେ ଉପନିର୍ବାଚନ ହେବାକୁ ଯାଉଛି।

ମୋହର ମାରିଲେ କମିଟି

ମଧ୍ୟପ୍ରଦେଶର ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ କାହାକୁ ପ୍ରାର୍ଥୀ କରାଯିବ ଏ ନେଇ ରାଜ୍ୟ ବିଜେପିରେ ବିଚାର ବିମର୍ଶ ଚାଲିଥିଲା। ଏହି ଦୌଡ଼ରେ ପୁରୀଙ୍କ ନାଁ ସର୍ବାଗ୍ରେ ଥିଲା। ତଥାପି ରାଜ୍ୟର ପାର୍ଟି କୋର କମିଟି ଚାରିରୁ ପାଞ୍ଚ ଜଣଙ୍କ ନାଁ କେନ୍ଦ୍ରୀୟ ନେତୃ ବୃନ୍ଦଙ୍କ ନିକଟକୁ ପଠାଇଥିଲେ। ଆଉ ତାଙ୍କ ନାଁ ଉପରେ ମୋହର ମାରିଛନ୍ତି କେନ୍ଦ୍ରୀୟ ନେତୃତ୍ଵ।

Also Read: କୋଟିଆ ପ୍ରସଙ୍ଗରେ ମୋହନଙ୍କ ରୋକ୍ଠୋକ୍ ଜବାବ ! ରାଜନୀତି ନୁହେଁ, ଆଇନଗତ ସମାଧାନ ଜରୁରୀ

ସୂଚନାଯୋଗ୍ୟ, ହରଦୀପ ସିଂ ପୁରୀ ପ୍ରଥମ ଥର ୨୦୧୮ ଜାନୁଆରୀରେ ଉତ୍ତର ପ୍ରଦେଶରୁ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଲୋକପ୍ରିୟ ନେତା ମନୋହର ପାରିକର ସଦସ୍ୟତା ଛାଡ଼ିବା ପରେ ପୁରୀଙ୍କୁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପଠାଇଥିଲା ପାର୍ଟି।

କିଏ ଏହି ହରଦୀପ ସିଂ ପୁରୀ ?

ହରଦୀପ ସିଂ ପୁରୀ ଜଣେ ଅବସରପ୍ରାପ୍ତ ଭାରତୀୟ ବୈଦେଶିକ ଅଧିକାରୀ(IFS)। ସେ ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିଲେ। ସେ ୨୦୧୯ରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ ଏବଂ ଅମୃତସରରୁ ଲୋକସଭା ନିର୍ବାଚନ ଲଢିଥିଲେ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଗୁରଜୀତ ସିଂ ଔଜଲଙ୍କ ଠାରୁ ପାଖାପାଖି ଏକ ଲକ୍ଷ ଭୋଟରେ ହାରିଥିଲେ।

Also Read: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ ‘ଜନ ନୀତି ଭାରତ’

ପୁରୀ ୨୦୧୭ରୁ ମୋଦୀ କ୍ୟାବିନେଟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଏମ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଖାଲି ପଡ଼ିଥିବା ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳିଥିଲେ ହରଦୀପ ସିଂ ପୁରୀ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର କ୍ରମାଗତ ଦ୍ଵିତୀୟ ବିଜୟ ପରେ ପୁରୀଙ୍କୁ ବାଣିଜ୍ୟ, ଶିଳ୍ପ ଓ ବେସାମରିକ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ପୁଣି ୨୦୨୧ରୁ ପୁରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପୁରୀଙ୍କ କାନ୍ଧରେ ରହିଛି।