ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ SIR ପ୍ରକ୍ରିୟାକୁ ନେଇ ଜାରି ବିବାଦ ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଦେଶର କିଛି ରାଜ୍ୟରେ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନର ଫଳାଫଳ  ଆସିଛି। ଏଥିରେ କଂଗ୍ରେସକୁ ଲାଗିଛି ଡବଲ ଝଟକା। ବିହାର ଏବଂ ଉତ୍ତର ପ୍ରଦେଶରେ ଦଳ ତ ପରାଜିତ ହୋଇଛି। ହେଲେ ନିଜର କ୍ଷମତାସୀନ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ଦେଶର ଏହି ସର୍ବ ପୁରାତନ ରାଜନୈତିକ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି। ସବୁଠୁ ବଡ଼ କଥା ଯେଉଁ ବାଲାଟ୍ ପେପରରେ ନିର୍ବାଚନ କରିବାକୁ କଂଗ୍ରେସ ଦାବି କରି ଆସିଛି, ସେହି ବାଲାଟ୍ ପେପରରେ ବିଧାନସଭା ପରିଷଦର ନିର୍ବାଚନ ହୋଇଥିଲା। ତଥାପି କଂଗ୍ରେସକୁ ମାଟି କାମୁଡ଼ିବାକୁ ପଡ଼ିଛି।

କର୍ଣ୍ଣାଟକରେ ଚାରି ସିଟରୁ ଦଳ ଗୋଟିଏ ବି ଆସନ ଜିତି ପାରିନି। ଏଠାରେ ବିରୋଧୀ ଦଳ ବିଜେପି ଏବଂ ଜନତା ଦଳ ସେକ୍ୟୁଲାର(JDS) ମିଶି କି ନିର୍ବାଚନ ଲଢିଥିଲେ। ବିଜେପି ୩ଟି ସିଟ୍ ଜିତିଥିବା ଜେଡିଏସ ଗୋଟିଏ ସିଟ୍ ହାତେଇଛି। ବିଜେପି ଉତ୍ତର ପୂର୍ବ ଶିକ୍ଷକ, ଦକ୍ଷିଣ ପୂର୍ବ ସ୍ନାତକ ଏବଂ ପଶ୍ଚିମ ସ୍ନାତକ ସିଟରେ ବିଜୟ ଲାଭ କରିଛି। ଏହି ତିନୋଟି ସିଟରେ ଶାସକ କଂଗ୍ରେସ ପରାଜିତ ହୋଇଛି। ଜେଡିଏସ ଖାତାକୁ ବେଙ୍ଗାଲୁରୁ ଶିକ୍ଷକ ସିଟ୍ ଆସିଛି। 

Also  Read: ଖଡ଼ଗେଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ମନମୋହନଙ୍କ ଟାର୍ଗେଟ୍, କହିଲେ- ମର୍ଯ୍ୟାଦା ଭିତରେ ରୁହନ୍ତୁ...

ବାଲାଟ୍ ପେପରେ ବି ହାରିଲା କଂଗ୍ରେସ

ବାଲାଟ୍ ପେପରରେ ଅନୁଷ୍ଠିତ ନିର୍ବାଚନରେ ଜେଡିଏସ ନେତା ଏପି ରଙ୍ଗନାଥ ବେଙ୍ଗାଲୁରୁ ଶିକ୍ଷକ ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ଏମଏଲସି ପୁଟନ୍ନାଙ୍କୁ ହରାଇଛନ୍ତି। ରଙ୍ଗନାଥଙ୍କୁ ୧୦ ହଜାର ୮୧୦ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପୁଟନ୍ନାଙ୍କୁ ୯ ହଜାର ୯୦୨ ଭୋଟ୍ ମିଳିଛି। ବିଜେପିର ଶଶିଲ ଜି ନମୋଶୀ ଉତ୍ତର-ପୂର୍ବ ଶିକ୍ଷକ ନିର୍ବାଚନ କ୍ଷେତ୍ରରୁ ବିଜୟଲାଭ କରିଛନ୍ତି।

କଂଗ୍ରେସ ଉପରେ ଆକ୍ଷେପ

ଖାସ୍ କଥା କଂଗ୍ରେସ ଲଗାତାର ବାଲାଟ୍ ପେପରରେ ନିର୍ବାଚନ କରିବାକୁ ଦାବି କରି ଆସିଛି ଏବଂ ଇଭିଏମ ଉପରେ ପ୍ରଶ୍ନ ଉଠାଇ ଆସିଛି। ସଦ୍ୟତମ ଏମଏଲସି ନିର୍ବାଚନର ଫଳାଫଳ ପରେ ଜେଡିଏସ ନେତା ନିଖିଲ କୁମାରସ୍ଵାମୀ ଲେଖିଛନ୍ତି, ରାହୁଲ ଗାନ୍ଧୀ ସାର, ଏବେ ଇଭିଏମ ଉପରେ ଦୋଷ ଲଦି ପାରିବେ ନାହିଁ। ରାଜ୍ୟର କଳ  ଆପଣଙ୍କ ହାତରେ ଏବଂ ନିର୍ବାଚନ ବାଲାଟ୍ ପେପରରେ ହୋଇଛି। ଏବେ ଆଉ କଣ ବାହାନା ଦେବେ ?

Also Read: ଜେଡିୟୁକୁ ଚ୍ୟାଲେଞ୍ଜ କଲେ ବହିଷ୍କୃତ ବିଧାୟକ ଅନନ୍ତ ସିଂହ, ଗଢ଼ିବେ ନୂଆ ଦଳ

କଂଗ୍ରେସ ପାଇଁ ଡବଲ ଝଟକା

ନିର୍ବାଚନ ପରିଣାମ କଂଗ୍ରେସ ପାଇଁ ଡବଲ ଝଟକା ହୋଇଛି। କାରଣ ରାଜ୍ୟରେ କଂଗ୍ରେସ ସରକାର ଥାଇ ବି ଦଳକୁ ଏମିତି ଅବସ୍ଥା ଦେଖିବାକୁ ପଡ଼ିଛି। କିନ୍ତୁ ରାଜ୍ୟରେ ଦଳୀୟ କନ୍ଦଳ କଥା ନ କହିବା ଭଲ। ବହୁ ଟଣାଓଟରା ପରେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଛନ୍ତି। ପୁଣି ଦଳ ଏସଆଇଆର ପ୍ରକ୍ରିୟାକୁ ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆସୁଛି। ଏହା ମଧ୍ୟରେ ବାଲାଟ୍ ପେପରରେ ନିର୍ବାଚନ କରିବାକୁ ଦଳ ଦାବି କରୁଛି।ଏହା ପୂର୍ବରୁ ଦଳ ଆସାମରେ ବାଲାଟ୍ ପେପରରେ ହୋଇଥିବା ନିର୍ବାଚନରେ ପରାଜିତ ହୋଇଥିଲା।