କଳାହାଣ୍ଡି: କଳାହାଣ୍ଡିରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ। ଶୁକ୍ରବାର ତୃତୀୟ ଦିନରେ ପୁଣି କଳାହାଣ୍ଡିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏମିତିରେ ଲଗାତାର ଏଭଳି ଭୂକମ୍ପ ଆସିବାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୨୧ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ତଥା କେନ୍ଦ୍ରସ୍ଥଳ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାଥାଉକି, ଏହା ପୂର୍ବରୁ ବୁଧବାର ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଭୂମିକମ୍ପ ଅନୁଭୁତ ହୋଇଥିଲା। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରୁ ୭ଟା ୪୫ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ସୋସିଆଲ ମିଡିଆରେ ମଧ୍ୟ ନିଜ ନିଜ ଅଞ୍ଚଳରେ ଭୂକମ୍ପ ହୋଇଥିବା ପୋଷ୍ଟ କରିଥିଲେ। ସୌଭାଗ୍ୟବସତଃ ଏଥିରେ କୌଣସି ଧନଜୀବନ ହାନି ହୋଇନଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ବୁଧବାର ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୧ ରହିଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଥିଲା କଳାହାଣ୍ଡି ।

Updating...