ଭୁବନେଶ୍ୱର ୧୨।୧୧ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଘନୀଭୂତ ହେବ ଲଘୁଚାପ । ପରେ ଅବପାତର ରୂପ ନେବା ସମ୍ଭାବନା। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା କ୍ରମଶଃ ଘନୀଭୂତ ହୋଇ ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୧୪ ତାରିଖରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖରେ ଅବପାତର ରୂପ ନେବା ନେଇ ଆକଳନ କରାଯାଇଛି।

ତେବେ ବଙ୍ଗୋପସାଗରରେ ଲଘୁଚାପ ଓ ଅବପାତ ସମ୍ଭାବନା ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷାର ସମ୍ଭାବନା ନାହିଁ। ସପ୍ତାହର ଶେଷ ଆଡ଼କୁ କିଛି ସ୍ଥାନରେ ଆକାଶ ଆଂଶିକ ମେଘୁଆ ରହିପାରେ।
Also Read:-ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ଶିକାର ପାଇଁ ଷଡ଼ଯନ୍ତ୍ର, ଫାଶ ବସାଇଥିବା ୨ ଶିକାରୀ ଗିରଫ

ସେପଟେ ରାଜ୍ୟରେ ଶୀତର ପ୍ରଭାବ ମଧ୍ୟ ଅନୁଭୂତ ହେବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ ଏବଂ ସିମିଳିଗୁଡ଼ାରେ ୧୨.୧ ଡିଗ୍ରୀ ସେଲସିୟସ୍ ସହ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୨୧.୧ ଡିଗ୍ରୀ ଏବଂ କଟକରେ ୧୯.୪ ଡିଗ୍ରୀ ରହିଥିଲା। ଅନ୍ୟପଟେ ଗଞ୍ଜାମରେ ୨୮ ମିଲିମିଟର ଏବଂ ଭୁବନେଶ୍ୱରରେ ୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ୱର ଓ କଟକରେ ମଧ୍ୟ ଆଗାମୀ ଦିନଗୁଡ଼ିକରେ ପାଗ ଶୁଖିଲା ରହିବ। ବର୍ଷାର ବିଶେଷ ସମ୍ଭାବନା ନଥିବା ବେଳେ ଆକାଶରେ ହାଲୁକା ମେଘ ଦେଖିବାକୁ ମିଳିପାରେ। ତେବେ ଆସନ୍ତା ୧୯ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।