ଭୁବନେଶ୍ୱର ୧୧।୧୧ : ବିରୋଧୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପ୍ରଶ୍ନ । ଗଞ୍ଜାମ ବନ୍ୟାକୁ ନେଇ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏବେ ସରକାରଙ୍କ ପକ୍ଷ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବନ୍ୟା ପରିସ୍ଥିତିକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, ଗଞ୍ଜାମରେ ଦେଖାଦେଇଥିବା ବନ୍ୟା ମନୁଷ୍ୟକୃତ ନୁହେଁ। ଏହା ପଛରେ ରହିଛି ଅତ୍ୟଧିକ ବୃଷ୍ଟିପାତ। ଲଗାତାର ତିନିଦିନ ଧରି ଅସ୍ୱାଭାବିକ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷାର ଭୟାବହତା କେତେ ଥିଲା, ତାହା ପାତ୍ରପୁରର ବର୍ଷା ପରିମାଣରୁ ସ୍ପଷ୍ଟ ହେଉଛି। ଗୋଟିଏ ଦିନରେ ପାତ୍ରପୁରରେ ରେକର୍ଡ ହୋଇଥିଲା ୫୪୬ ମିଲିମିଟର ବର୍ଷା। ଏହା ୨୦୧୩ ମସିହାରେ ବାତ୍ୟା ସମୟରେ ହୋଇଥିବା ବର୍ଷାର ରେକର୍ଡକୁ ମଧ୍ୟ ଟପିଯାଇଥିଲା। ତେଣୁ ଏତେ ପରିମାଣର ବର୍ଷାକୁ ବନ୍ୟାର ମୁଖ୍ୟ କାରଣ ।

ସେହିପରି ଜଳଭଣ୍ଡାର ଓ ଡ୍ୟାମ୍‌ ପରିଚାଳନାକୁ ନେଇ ଉଠୁଥିବା ପ୍ରଶ୍ନରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଅନୁ ଗର୍ଗ। ତାଙ୍କ କହିବା ଅନୁସାରେ, କ୍ୟାଚମେଣ୍ଟ ଏରିଆରୁ ଆସିଥିବା ମୋଟ ଜଳର ମାତ୍ର ୧୦ ପ୍ରତିଶତ ଡ୍ୟାମ୍‌ ଭିତରକୁ ପ୍ରବେଶ କରିଥିଲା। ବାକି ୯୦ ପ୍ରତିଶତ ଜଳ ସିଧାସଳଖ ନଦୀଗୁଡ଼ିକ ଦେଇ ପ୍ରବାହିତ ହୋଇଥିଲା। ଡ୍ୟାମ୍‌ର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଅନୁସାରେ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯାଇଥିଲା ବୋଲି ସେ କହିଛନ୍ତି।

Also Read:-ଓଡ଼ିଶାରେ ଶୀତର ଲହରୀ, ୧୪ ଯାଏଁ ଜାରି ରହିବ ଥଣ୍ଡା; ୧୭ରୁ ୨୧ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଏହାସହ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନହାନି ଘଟିନଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ। ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯୋଗାଣ, ପାନୀୟ ଜଳ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାରକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି। ଲୋକଙ୍କୁ ଆବଶ୍ୟକୀୟ ସହାୟତା ଓ ରିଲିଫ୍‌ ଯୋଗାଇଦେବା ପାଇଁ ପ୍ରଶାସନର ପଦକ୍ଷେପ ଜାରି ରହିଛି।

ତେବେ ଗଞ୍ଜାମ ବନ୍ୟାକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଏହି ସ୍ପଷ୍ଟୀକରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ୟାର କାରଣ, ଡ୍ୟାମ୍‌ ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସରକାର ନିଜର ପକ୍ଷ ରଖିଥିବା ବେଳେ ଏହା ଉପରେ ଆଗକୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ନଜର।