ନୂଆଦିଲ୍ଲୀ ,୧୨ /୧୧ -; ଭଲ ପାଇ ବିବାହ କଲେ l ଆଉ ପ୍ରେମ ପ୍ରତିଶୃତିର ଡୋରିରେ ବାନ୍ଧି ହୋଇ ଜନ୍ମ ମାଟି ଛାଡି ଭାରତ ଆସିଲେ l ଭାରତରେ ସମ୍ଭ୍ରାନ୍ତ ଓ ରାଜନୈତିକ ପରିବାର ବୋହୁ ବୋଲି ଜାଣିଥିଲେ ନିଶ୍ଚୟ କିନ୍ତୁ ସେ କେବେ ଭାବିନଥିଲେ ନିଜେ ରାଜନୀତିର ଏକ ଅଂଶ ପାଲଟିଯିବେ ବୋଲି l ପ୍ରେମ ତାଙ୍କୁ ଭାରତ ଆଣିଥିଲା ସତ । କିନ୍ତୁ ଜୀବନରେ ଘଟିଥିବା ଅନେକ ଘଟଣା ତାଙ୍କୁ ଦେଶର ରାଜନୀତିର ଏକ ପ୍ରମୁଖ ଚେହେରା କରିଦେଲା। ଆମେ କହୁଛୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କଥା। ତାଙ୍କ ଜୀବନରେ ପ୍ରେମ, ପରିବାର, ଦୁଃଖ, ସଂଘର୍ଷ ଓ ରାଜନୀତିର ଅନେକ ଅକୁହା କାହାଣୀ ରହିଛି।

ନିକଟରେ ପ୍ରକାଶ ପାଇଛି ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକ ‘Belonging: A Journey of Love’। ଏହି ପୁସ୍ତକକୁ ନେଇ ଅନେକ ଦିଗରୁ ଚର୍ଚ୍ଚା ହେଉଛି l ପୁସ୍ତକର ପ୍ରତିଟି ପୃଷ୍ଠାରେ ଗାନ୍ଧୀ ପରିବାରର ଇତିହାସ ଯୋଡି ହୋଇ ରହିଛି l ଖାଲି ସେତିକି ନୁହେଁ ଏହି ପୁସ୍ତକରେ ସେ ନିଜ ଜୀବନର ଅନେକ ଅନୁଭୂତି ଓ ଘଟଣା ବିଷୟରେ ଲେଖିଛନ୍ତି। ଯାହା ହୁଏତ କେବେ ଲୋକଲୋଚନକୁ ଆସିନଥିଲା l କିନ୍ତୁ ସୋନିଆଙ୍କ ଆତ୍ମ ଜୀବନୀ ଉନ୍ମୋଚନ ହେଲା ପରେ ଅନେକ ଅନାଲୋଚିତ ଦିଗକୁ ନେଇ ଚର୍ଚା ଆଲୋଚନା ଜାରି ରହିଛି l ଇଟାଲୀର ଏକ ଛୋଟ ଗାଁରୁ ଭାରତର ରାଜନୀତିର ଶୀର୍ଷ ସ୍ଥାନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଏହି ପୁସ୍ତକର ମୁଖ୍ୟ ବିଷୟ।

ସୋନିଆ ଗାନ୍ଧୀଙ୍କ ଜନ୍ମ ଇଟାଲୀର ଏକ ଛୋଟ ସହର ସାଙ୍ଗାନୋରେ ହୋଇଥିଲା। ସେଠାରେ ତାଙ୍କ ପିଲାଦିନ କଟିଥିଲା। ପରିବାର ସହ ରହିବା, ଜେଜେବାପାଙ୍କ ସହ ଜଙ୍ଗଲରେ ବୁଲିବା, ଖେଳକୁଦ ଓ ଖ୍ରୀଷ୍ଟମାସ ପାଳନ ତାଙ୍କ ପିଲାଦିନର ସ୍ମୃତିର ଅଂଶ ଥିଲା। ତାଙ୍କ ମା' ଘରେ ପୋଷାକ ସିଲେଇ କରିବା ସହ ସଙ୍ଗୀତକୁ ଭଲ ପାଉଥିଲେ। ଅନ୍ୟପଟେ ତାଙ୍କ ବାପା ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଉଥିଲେ। ପିଲାଦିନର ଛୋଟ ଛୋଟ ଘଟଣା ମଧ୍ୟ ତାଙ୍କ ମନରେ ରହିଯାଇଥିଲା।

ପାଠପଢ଼ା ପାଇଁ ଇଂଲଣ୍ଡ ଯାଇଥିବା ସମୟରେ ସୋନିଆଙ୍କ ସାକ୍ଷାତ ହୋଇଥିଲା ରାଜୀବ ଗାନ୍ଧୀଙ୍କ ସହ। ସେତେବେଳେ ରାଜୀବ ଇଂଲଣ୍ଡର କେମ୍ବ୍ରିଜରେ ପଢ଼ୁଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟ ବିବାହ କରିଥିଲେ। ବିବାହ ପରେ ସୋନିଆ ଭାରତ ଆସିଥିଲେ ଏବଂ ଗାନ୍ଧୀ ପରିବାରର ବୋହୂ ହୋଇଥିଲେ। ସେତେବେଳେ ତାଙ୍କ ଜୀବନରେ ରାଜନୀତିର କୌଣସି ବିଶେଷ ଆଗ୍ରହ ନଥିଲା। ସେ ରାଜୀବଙ୍କ ସହ ସାଧାରଣ ପରିବାର ଜୀବନ ବିତାଇବାକୁ ଚାହୁଁଥିଲେ।

ରାଜୀବ ଗାନ୍ଧୀ ଭାରତୀୟ ବିମାନ ସେବାରେ ପାଇଲଟ୍ ଭାବେ କାମ କରୁଥିଲେ। ଉଭୟ ନିଜର ଦୁଇଟି ଛୁଆ ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଖୁସିରେ ଜୀବନ ଅତିବାହିତ କରୁଥିଲେ । କିନ୍ତୁ ପରିସ୍ଥିତି ଧୀରେ ଧୀରେ ବଦଳିବାକୁ ଲାଗିଲା। ୧୯୮୦ରେ ରାଜୀବଙ୍କ ସାନଭାଇ ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଲା। ଏହା ପରେ ରାଜୀବଙ୍କୁ ରାଜନୀତିକୁ ଆସିବାକୁ ପଡ଼ିଥିଲା। ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀ ହତ୍ୟା କରିଥିଲେ। ଏହି ଘଟଣା ପରେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ସୋନିଆଙ୍କ ପରିବାର ଜୀବନକୁ ମଧ୍ୟ ପ୍ରଭାବିତ କରିଥିଲା।

୧୯୯୧ ମସିହାରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସୋନିଆ ଗାନ୍ଧୀଙ୍କ ଜୀବନରେ ସବୁଠାରୁ ବଡ଼ ଦୁଃଖ ଆଣିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଦୀର୍ଘ ସମୟ ଧରି ସକ୍ରିୟ ରାଜନୀତିଠାରୁ ଦୂରେଇ ରହିଥିଲେ। କିନ୍ତୁ ପରେ କଂଗ୍ରେସ ଦଳର ଅନୁରୋଧ ଓ ରାଜନୈତିକ ପରିସ୍ଥିତି ତାଙ୍କୁ ରାଜନୀତିକୁ ଆସିବାକୁ ପ୍ରେରିତ କରିଥିଲା।

୧୯୯୮ ମସିହାରେ ସେ କଂଗ୍ରେସର ନେତୃତ୍ୱ ନେଇଥିଲେ। ପରେ ଦୀର୍ଘ ସମୟ ଧରି ଦଳର ସଭାପତି ଭାବେ କାର୍ଯ୍ୟ କରିଥିଲେ।୨୦୦୪ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସେ ଏହି ପଦ ଗ୍ରହଣ କରିନଥିଲେ। ନିଜ ଆତ୍ମଜୀବନୀରେ ସେ ଏହି ନିଷ୍ପତ୍ତି ପଛରେ ଥିବା ପରିବାରର ଚିନ୍ତା ଓ ନିଜ ମନର ଦ୍ୱନ୍ଦ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି। ପରେ ସେ ଡ. ମନମୋହନ ସିଂହଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

also read- ଗଞ୍ଜାମ ବନ୍ୟାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ, ଜବାବ ମାଗିଲେ ସନ୍ତୋଷ ସିଂ ସାଲୁଜା

ସୋନିଆ ଗାନ୍ଧୀଙ୍କ ଜୀବନ କେବଳ ଜଣେ ରାଜନେତ୍ରୀଙ୍କ କାହାଣୀ ନୁହେଁ। ଏହା ଜଣେ ବିଦେଶୀ ଯୁବତୀଙ୍କ ଭାରତ ଆଗମନ, ପ୍ରେମ, ପରିବାର, ଅନେକ ଦୁଃଖଦ ଘଟଣା ଓ ରାଜନୈତିକ ଦାୟିତ୍ୱ ଗ୍ରହଣ କରିବାର ଏକ ଦୀର୍ଘ ଯାତ୍ରା। ‘Belonging: A Journey of Love’ ପୁସ୍ତକରେ ସେ ନିଜ ଜୀବନର ଏହି ସବୁ ଅନୁଭୂତିକୁ ମନେ ପକାଇଛନ୍ତି। ଯେଉଁ ମହିଳା ଦିନେ କେବଳ ପ୍ରେମ ପାଇଁ ଭାରତ ଆସିଥିଲେ, ସମୟ ତାଙ୍କୁ ଦେଶର ରାଜନୀତିର ଏକ ପ୍ରମୁଖ ଚେହେରା କରିଦେଇଥିଲା।