କଳାହାଣ୍ଡି/ ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲାରେ ଭୂମିକମ୍ପ ଅନୁଭୁତ। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୦ରୁ ୭ଟା ୪୫ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ସୋସିଆଲ ମିଡିଆରେ ନିଜ ନିଜ ଅଞ୍ଚଳରେ ଭୂକମ୍ପ ହୋଇଥିବା ପୋଷ୍ଟ କରୁଥିବା ବେଳେ ଲୋକେ ଭୟଭୀତ ଥିବା କହୁଛନ୍ତି। ତେବେ ବର୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିବା ବେଳେ ପ୍ରଶାସନ ସତର୍କ ରହିଛି।

ସେପଟେ ନବରଙ୍ଗପୁରରେ ମଧ୍ୟ ସମାନ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଝରିଗାଁ ବ୍ଲକ ସଦରର ଅନେକ ଲୋକ ଏହି ମୃଦୁ ଭୂମିକମ୍ପକୁ ଅନୁଭବ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କମ୍ପନ ସମୟରେ ଜିନିଷପତ୍ର ସବୁ ହଲିବାକୁ ଲାଗିଥିଲା। କମ୍ପନ ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ବୁଧବାର ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କଳାହାଣ୍ଡି ରହିଛି। ଏହାର ଗଭୀରତା ୨୪ କିଲୋମିଟର ରହିଥିବା ବେଳେ ତୀବ୍ରତା ୪.୧ ରହିଛି। ତେବେ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।