ଭୁବନେଶ୍ୱର ୦୯।୧୧ : ରାଜ୍ୟର ଅଧିକାଂଶ ସ୍ଥାନରେ କମିଲା ସର୍ବନିମ୍ନ ରାତ୍ରି ତାପମାତ୍ରା । ଅନୁଭୂତ ହେଲା ହାଲୁକା ଶୀତ ।ଗତକାଲି ରାଜଧାନୀ ଭୁବନେଶ୍ୱର ରେ ୨୫°C ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୀତର ସ୍ତର ବଢିଛି । ଦୀପାବଳିରେ ବାଣ ଫୁଟାଯିବା କାରଣରୁ ସହର ଧୂଆଁମୟ ହୋଇପଡ଼ିବା ସହ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଥିଲା। ରାତିରେ ଭୁବନେଶ୍ୱରର AQI ୨୭୪ ଡିଗ୍ରି ରେକର୍ଡ କରାଯାଇଛି, ଯାହାକି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିକୁ ସୂଚାଉଛି ।

ରାଜଧାନୀର ଅଧିକାଂଶ ସ୍ଥାନରେ AQI ୨୫୦ରୁ ଅଧିକ ଥିଲା। ସେହିପରି ଏଜି କଲୋନୀରେ ସର୍ବାଧିକ ୩୨୪ AQI ରେକର୍ଡ କରାଯାଇଥିବା ବେଳେ ଚିନ୍ତାମଣିଶ୍ୱରରେ ୩୦୭ ବିଜେବି ନଗରରେ ୨୯୭, ବାପୁଜୀ ନଗରରେ ୨୯୫, ବାଲାକାଟିରେ ୨୯୪, ଜାଗମରାରେ ୨୯୧, ହଂସପାଳରେ ୨୪୫ ଏବଂ ନନ୍ଦନବିହାରରେ ୨୨୫ AQI ରେକର୍ଡ କରାଯାଇଛି । ସବୁ ସ୍ଥାନରେ ବାୟୁ ପ୍ରଦୂଷଣର ଅତ୍ୟନ୍ତ ଗମ୍ଭୀର ସ୍ଥିତି ଦର୍ଶାଉଛି । ଶବ୍ଦ ଓ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବାରୁ ସାଧାରଣ ଲୋକେ, ବିଶେଷ କରି ଶ୍ୱାସରୋଗୀ ଓ ବୃଦ୍ଧବୃଦ୍ଧାମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ରାତି ୧୧ଟାରେ ପ୍ରଦୂଷଣ ସ୍ତର ସର୍ବାଧିକ ୧୪ଶହ ୪୪ ଛୁଇଁଥିଲା । ଏହାପରେ ଧୀରେ ଧୀରେ କମିଥିଲା । ତେବେ ସକାଳ ୭ଟା ସମୟରେ ହାରାହାରି AQI ୧୯୭ ଥିଲା । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ । ଏପରି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Also Read:-କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ ! ଦିଲ୍ଲୀରୁ ଭୁବନେଶ୍ୱର, ରାତି ଅଧାଯାଏଁ ଫୁଟିଲା ବାଣ

ଅନ୍ୟପକ୍ଷରେ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ୩୧ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୧୧ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରାଯାଇଛି । ୧୨ ତାରିଖରେ ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖ ବେଳକୁ ଏକ ଲଘୁଚାର କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରିଛି ।