ଭୁବନେଶ୍ବର ୧୨।୧୧: ରାଜନୀତିରେ ବନ୍ୟା ଝଡ଼ । ଗଞ୍ଜାମ ବନ୍ୟାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପରେ ଏହି ରାଜନୀତି ଆହୁରି ଜୋର୍ ଧରିଛି । ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ନିଶାନା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

ସେପଟେ, ଗଞ୍ଜାମ ବନ୍ୟାକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପ୍ରବଳ ବର୍ଷା ନେଇ IMDର ଆଗୁଆ ସତର୍କତା ପରେ ବି ସରକାର ଡ୍ୟାମ୍ ପରିଚାଳନାରେ ବିଫଳ ହୋଇଥିଲେ । ଗଞ୍ଜାମରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ଉପରେ ବଡ଼ ପ୍ରଶ୍ନ ଲଗାଇଛି ବୋଲି କହିଛନ୍ତି ସାଲୁଜା । ସେହିଭଳି ଜିରୋ କାଜୁଆଲିଟି ପ୍ରସଙ୍ଗରେ ସାଲୁଜା କହିଛନ୍ତି, କେବଳ ଶୂନ୍ୟ ମୃତ୍ୟୁର ଦାବି କଲେ ହେବ ନାହିଁ ବାସ୍ତବ ସ୍ଥିତିର ହିସାବ ଦିଅନ୍ତୁ ସରକାର ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ, IMD ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡିଲା । ଗଞ୍ଜାମ ଇତିହାସରେ ଏମିତି ବର୍ଷା କେବେ ହୋଇ ନଥିଲା। ୨୮,୨୯, ୩୦ରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା । ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଥିଲା । ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା ହୋଇଥିଲା । ଆଗକୁ ପର୍ବତ ପାହାଡ଼ କନ୍ଧମାଳ ଗଜପତିରେ ଭୂସ୍ଖଳନ ନେଇ ଅନୁଧ୍ୟାନ କରାଯିବ । ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛନ୍ତି ।

Also Read:- ଅମିତ ଶାହଙ୍କୁ ଭେଟିଲେ ବରଗଡ଼ ସାଂସଦ, ଚିନିକଳ ଖୋଲିବାକୁ ଲୋଡ଼ିଲେ କେନ୍ଦ୍ରର ହସ୍ତକ୍ଷେପ

ଫାଇଲିନରୁ ଫନି ଫେଲ୍ ମାରିଥିଲେ ପୂର୍ବ ସରକାର । ୨୦୧୩ ଫାଇଲିନରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ । ୨୪ ବର୍ଷ ଶାସନ ଭିତରେ ପୂର୍ବ ସରକାର ଦୃଷ୍ଟି ଦେଇ ନ ଥିଲେ । ଗତ ୨ ବର୍ଷ ୪ ମାସ ମଧ୍ୟରେ ମୋହନ ସରକାରଙ୍କ ସମୟରେ କିଭଳି ବିପର୍ଯ୍ୟୟ ପରିଚାଳନା ହୋଇଛି ତାହାକୁ ଲୋକ ଦେଖିବେ । କେବଳ ପ୍ରଶ୍ନ କରିବାର ନାହିଁ, ଉତ୍ତର ଦେବାର ଆବଶ୍ୟକତା ରହିଛି । ଆସନ୍ତା ୧୮ ତାରିଖରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି । ସମସ୍ତ ବିତର୍କ ପାଇଁ ଆମେ ରାଜି ଅଛୁ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ତଥ୍ୟ ଧରିକି ଆସନ୍ତୁ । ଆସନ୍ତା ବିଧାନ ସଭାରେ ଆମେ ସବୁ ତଥ୍ୟ ସହ ବିରୋଧୀକୁ ସାମ୍ନା କରିବାକୁ ପୁରା ପ୍ରସ୍ତୁତ ।