ଭୁବନେଶ୍ବର ୧୨।୧୧: ଓଡ଼ିଶାକୁ ବାତ୍ୟା ଭୟ କି ? ଯଦି ହେବ ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରଭାବ ପକାଇବ ? ପ୍ରବଳ ବର୍ଷା ହେବ ନା ପବନ ସହିତ ବର୍ଷା ହେବ ? ଏହାକୁ ନେଇ ଏବେ ଓଡ଼ିଶାବାସୀ ପୁଣି ଚିନ୍ତାରେ । ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହିତ ୧୪ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୧୫ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଅବପାତ ସମ୍ଭାବନା ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଡ. ମନୋରମା ମହାନ୍ତି । ଅନେକ ମଡେଲ ମଧ୍ୟ ଏହାକୁ ଆକଳନ କରୁଛନ୍ତି ।

ସେପଟେ କୃଷି ପାଣିପାଗ ଓ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ପଶୁପାଳକଙ୍କ କହିବା ଅନୁସାରେ ଓଡ଼ିଶା ଠାରୁ ଏହି ସିଷ୍ଟମ୍ର ସିଧାସଳଖ ପ୍ରଭାବରୁ ଦୂରରେ ରହିପାରେ । ପ୍ରାରମ୍ଭିକ ଆକଳନରୁ ଏହା ଜଣାପଡିଛି । ଉଚ୍ଚଚାପ ବଳୟର ସ୍ଥିତି ଯୋଗୁଁ ସିଷ୍ଟମ୍ର କେନ୍ଦ୍ର ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୫୦୦–୭୦୦ କିଲୋମିଟର ଦକ୍ଷିଣରେ ରହିପାରେ । ତେଣୁ ରାଜ୍ୟରେ ଶୁଷ୍କ ପାଗ ଏବଂ ସକାଳର ଥଣ୍ଡା ଓ କୁହୁଡ଼ିଆ ପରିସ୍ଥିତି ଜାରି ରହିପାରେ । ପୂର୍ବର ପାଣିପାଗ ଘଟଣାକୁ ଦେଖିଲେ, ନଭେମ୍ବର ଦ୍ୱିତୀୟାର୍ଦ୍ଧରେ ବଙ୍ଗୋପସାଗରର ଦକ୍ଷିଣ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଅନେକ ସିଷ୍ଟମ୍ ଦକ୍ଷିଣ ଭାରତ ଆଡ଼କୁ ଗତି କରିଛନ୍ତି । ଏହାର ଉଦାହରଣ ହେଉଛି ମୁରାସୁ (୨୦୨୬), ନିଭାର (୨୦୨୦) ଏବଂ ଗଜ (୨୦୧୮) ବୋଲି ସେ କହିଛନ୍ତି ।

ବର୍ତ୍ତମାନର ଆକଳନ ଅନୁସାରେ, ଓଡ଼ିଶା ଉପରେ ଏହି ସିଷ୍ଟମ୍ର ବିଶେଷ ପ୍ରଭାବ ପଡ଼ିବାର ସଙ୍କେତ ନାହିଁ । ତଥାପି, ଆଗାମୀ ଦିନରେ ଏହାର ତୀବ୍ରତା ଓ ଗତିପଥ ବଦଳିପାରେ । ତେଣୁ ସିଷ୍ଟମ୍ର ବିକାଶ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ତେବେ ଯେଉଁ ସିଷ୍ଟମ ସୃଷ୍ଟି ହେଉଛି ତାହା ସାଇକ୍ଲୋନିକ ଷ୍ଟର୍ମ ଯାଏଁ ଯାଇପାରେ ବୋଲି କହିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ତାଙ୍କ ସୂଚନା ଅନୁଯାୟୀ, ୧୯ରୁ ବର୍ଷା ଆରମ୍ଭ ହୋଇପାରେ । ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶର କାବାଲି ଓ ମଚ୍ଛଲିପଟନମ୍ ମଧ୍ୟ ଦେଇ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା, ନବରଙ୍ଗପୁର ଅଞ୍ଚଳରେ ପ୍ରଭାବ ରହିବ । କିନ୍ତୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ଯେଉଁ ପାଗ ରହିଛି ୧୬-୧୭ ତାରିଖ ପର୍ଯ୍ୟନ୍ତ ରହିବ । ୧୮ରୁ ପାଗ ପରିବର୍ତ୍ତନ ହେବ ।

ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ସିଷ୍ଟମର କେନ୍ଦ୍ର ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୫୦୦-୭୦୦ କି.ମି. ଦକ୍ଷିଣରେ ରହିପାରେ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଓ ପବନ ରହିବ । ଓଡ଼ିଶା ପାଇଁ ଏବେ ଭୟ ନାହିଁ, କିନ୍ତୁ ସତର୍କ ରହିବା ଜରୁରୀ ।