ଡେରାଡୁନ: ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, କିପରି ଏକ ବିଶାଳ ପାହାଡ଼ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଛି ଏବଂ ପଥର ସହ ମାଟିର ବିରାଟ ସ୍ତୂପ ତଳକୁ ଖସିଆସୁଛି।

ତେବେ ଏହି ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ, ସମ୍ପତ୍ତି କିମ୍ବା ଆଖପାଖ ଜନବସତିରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ, ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

 

ଖରାପ ପାଗ ଓ ପାଣିପାଗ ବିଭାଗର ପୂର୍ବାନୁମାନ

ଗତ ସପ୍ତାହରେ ରାଜ୍ୟର ନିମ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଉଚ୍ଚ ପର୍ବତାଞ୍ଚଳରେ ପ୍ରଚଣ୍ଡ ତୁଷାରପାତ ରେକର୍ଡ କରାଯାଇଥିଲା। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଉତ୍ତରାଖଣ୍ଡର ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ବାଗେଶ୍ୱର, ନୈନତାଲ, ଅଲମୋଡ଼ା ଏବଂ ପିଥୋରାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

Also Read: ଭୋରୁ ଭୋରୁ ଲାଗିଲା ଭୂକମ୍ପର ଝଟ୍କା, ଅସ୍ତବ୍ୟସ୍ତ ହୋଇ ଘରୁ ବାହାରିଗଲେ ଲୋକେ ...

ଅନ୍ୟପକ୍ଷରେ, ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାସହିତ ସମତଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।