ପୁରୀ ୨୩।୧୧: ଶ୍ରୀମନ୍ଦିର ନିକଟରୁ ପୁଣି ଧରାପଡିଲେ ନକଲି ଗୁମାସ୍ତା । ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ସିଂହଦ୍ଵାର ଥାନା ପୋଲିସ । ଗିରଫ ୫ ନକଲି ଗୁମାସ୍ତା ହେଉଛନ୍ତି ପୁରୀ ସଦର ଥାନା ପିଳିପିଳା ଗ୍ରାମର ଲକ୍ଷ୍ମୀଧର ପରିଡ଼ା, ହାଡଗୋଡିଆ ସାହିର ବିଶ୍ବରଂଜନ ନାୟକ, ଗୋରୁଆଳ ଗ୍ରାମର ଭଗବାନ ସାହୁ, ଲୋକନାଥ ରୋଡ୍‌ର ମଧୂସୁଦନ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲାର ରୁଦ୍ର ପ୍ରତାପ ଷଡ଼ଙ୍ଗୀ ।

ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଦର୍ଶନ ନାଁରେ ୧୩ ହଜାର ଟଙ୍କା ଠକେଇ କରିଥିଲା ବିଶ୍ବରଞ୍ଜନ । ତେବେ ଗତକିଛି ଦିନ ହେବ ଶ୍ରୀମନ୍ଦିର ବାହାରେ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି ନକଲି ଗୁମାସ୍ତା । ବଡ଼ଦାଣ୍ଡ, ମାର୍କେଟ ଛକ, ସିଂହଦ୍ୱାର ନିକଟରେ ଭକ୍ତଙ୍କୁ ଟାର୍ଗେଟ କରୁଛନ୍ତି । ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ସହଜରେ ଦର୍ଶନ କରାଇ ଦେବେ କହି ଟଙ୍କା ଠକି ନେଉଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସାଦା ପୋଷାକରେ ପୋଲିସ ନଜର ରଖିଥିଲା । ଫଳରେ ବିଶ୍ୱରଞ୍ଜନ ନାୟକ ସମେତ ମୋଟ୍ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି ।

Also Read:- ପୋଲିସ ବାବୁଙ୍କ ଯୌନ କେଳେଙ୍କାରୀ ! ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ପୁରୀ ଏସ୍‌ପି ପ୍ରତୀକ ସିଂ ଏହି ସୂଚନା ଦେବା ସହ ଶ୍ରଦ୍ଧାଳୁମାନେ ଏଥିପ୍ରତି ସଚେତନ ହେବାକୁ ସେ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼େନି । କେହି ଦର୍ଶନ ନାଁରେ ଟଙ୍କା ମାଗିଲେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପୁରୀ ଏସ୍‌ପି କହିଛନ୍ତି ।

​​​​​​​Watch Video: