ଗୁଣପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାର ସବ୍ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ। ୫୮ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପୁଜୀ। ଥାନା ପରିସରରେ ଥିବା ତାଙ୍କ ଆବାସରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ବାପୁଜୀ ମଲ୍ଲିକଙ୍କ ଘର ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସିଦ୍ଧପଦର ଗାଁରେ। ସୂଚନା ଅନୁସାରେ, ତାଙ୍କୁ ଫୋନ୍ କରିବା ପରେ ଫୋନ୍ ନ ଉଠାଇବାରୁ ଥାନା କର୍ମଚାରୀ ତାଙ୍କ ଆବାସକୁ ଯାଇ ଦେଖିଥିଲେ। ସେଠାରେ ସେ ପଡ଼ିଥିବା ଅବସ୍ଥାରେ ମିଳିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲା। ପୂର୍ବରୁ ବାପୁଜୀ ମଲ୍ଲିକ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସା ହୋଇଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି।