ଭୁବନେଶ୍ୱର ୨୪।୧୧ : ସାଇବର ଠକେଇ ହେଉ କି ନିଶା କାରବାର । ଅପରାଧୀଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସଚେତନ କରିବାକୁ ଏବେ ଓଡ଼ିଶା ପୋଲିସ ଆପଣାଇଛି ଏକ ନିଆରା ଉପାୟ। ଆଉ ଏହି ଅଭିଯାନର ମଙ୍ଗ ଧରିଛି ଓଡ଼ିଆ ମିମ୍ ଦୁନିଆର ଚର୍ଚ୍ଚିତ ଚେହେରା ‘ଧନ’।

ପୋଲିସର ଗମ୍ଭୀର ବାର୍ତ୍ତାକୁ ଏବେ ମଜାଳିଆ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଉଛି ଧନ। ସୋସିଆଲ ମିଡିଆରେ ଧନର ଲୋକପ୍ରିୟ ଅନ୍ଦାଜ ଓ ଡାଏଲଗ୍‌କୁ ବ୍ୟବହାର କରି ସାଇବର ସୁରକ୍ଷା ଏବଂ ନିଶା ନିବାରଣ ନେଇ ସଚେତନତା ସୃଷ୍ଟି କରୁଛି ଓଡ଼ିଶା ପୋଲିସ।

ସାଇବର ଠକଙ୍କ ଜାଲରେ କେମିତି ଫସୁଛନ୍ତି ଲୋକେ?

ଅଜଣା ଲିଙ୍କ୍‌ରେ କ୍ଲିକ୍ କରିବା, ଓଟିପି ସେୟାର କରିବା କିମ୍ବା ନକଲି କେୱାଇସି ଅପଡେଟ୍ ନାଁରେ କିଭଳି ଟଙ୍କା ଲୁଟ୍ ହେଉଛି, ତାହାକୁ ମିମ୍ ମାଧ୍ୟମରେ ଦର୍ଶାଉଛି ଧନ। ଏଥିସହ କୌଣସି ଅଜଣା ବ୍ୟକ୍ତିଙ୍କୁ ଓଟିପି କିମ୍ବା ପିନ୍ ନଦେବା ଏବଂ ଅଜଣା ଲିଙ୍କ୍‌ରୁ ଦୂରେଇ ରହିବାକୁ ଦେଉଛି ପରାମର୍ଶ। ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍ ନମ୍ବରକୁ କଲ୍ କରିବାକୁ ମଧ୍ୟ ସଚେତନ କରାଯାଉଛି। କେବଳ ସାଇବର ଠକେଇ ନୁହେଁ, ନିଶା ବିରୋଧୀ ଅଭିଯାନରେ ମଧ୍ୟ ଧନ ପାଲଟିଛି ପୋଲିସର ସଚେତନତା ଦୂତ। ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟକୁ ନା କହିବା ସହ ଖେଳକୁଦ ଓ ଭଲ ସାଙ୍ଗସାଥୀଙ୍କୁ ବାଛିବାର ବାର୍ତ୍ତା ଦେଉଛି ଏହି ମିମ୍।

Also Read:-ଘର ଲୋକଙ୍କୁ ବନ୍ଦ କରି ଲୁଟ୍, ଫ୍ରିଜ୍‌ରୁ କ୍ଷୀର ନେଇ ଚା’ ପିଇଲେ ଚୋର

ତେବେ ପ୍ରଶ୍ନ ଉଠୁଛି, କାହିଁକି ଏତେ ଲୋକପ୍ରିୟ ହେଉଛି ଏହି ଅଭିଯାନ?

ଏହାର ମୁଖ୍ୟ କାରଣ ହେଉଛି ହାସ୍ୟରସ ଓ ସ୍ଥାନୀୟ ଭାଷାର ବ୍ୟବହାର। ଲମ୍ବା ଲମ୍ବା ଉପଦେଶ ବଦଳରେ ଗୋଟିଏ ମିମ୍‌ରେ ଗୋଟିଏ ସ୍ପଷ୍ଟ ବାର୍ତ୍ତା। ଯାହାକୁ ଦେଖିବା, ବୁଝିବା ଏବଂ ସେୟାର କରିବା ମଧ୍ୟ ସହଜ। ଫଳରେ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚୁଛି ପୋଲିସର ସଚେତନତା ବାର୍ତ୍ତା। ଅନ୍ୟପଟେ ନିଶା କାରବାର ବିରୋଧରେ ମଧ୍ୟ ଓଡ଼ିଶା ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅଧୀନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାଠାରୁ ଆରମ୍ଭ କରି ଜବତ ନିଶାଦ୍ରବ୍ୟ ନଷ୍ଟ କରିବା ପର୍ଯ୍ୟନ୍ତ ଚାଲିଛି ବ୍ୟାପକ ଅଭିଯାନ।

ସେହିପରି ସାଇବର ସଚେତନତା ପାଇଁ ରାଜ୍ୟବ୍ୟାପୀ ଅଭିଯାନ, ସାଇବର ରଥ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏସବୁ ଭିତରେ ଓଡ଼ିଶା ପୋଲିସର ଏହି ନୂଆ ପ୍ରୟାସ ଏକ କଥା ସ୍ପଷ୍ଟ କରୁଛି। ଲୋକଙ୍କୁ ସଚେତନ କରିବାକୁ ସବୁବେଳେ ଗମ୍ଭୀର ଭାଷାର ଆବଶ୍ୟକତା ନାହିଁ। ବେଳେବେଳେ ଗୋଟିଏ ମଜାଳିଆ ମିମ୍ ମଧ୍ୟ ବଡ଼ ବାର୍ତ୍ତା ଦେଇପାରେ। 

**ମନେ ରଖନ୍ତୁ, ଓଟିପି କାହାକୁ ଦିଅନ୍ତୁ ନାହିଁ। ସାଇବର ଠକେଇର ଶିକାର ହେଲେ ୧୯୩୦କୁ କଲ୍ କରନ୍ତୁ। ନିଶାଠାରୁ ଦୂରେଇ ରୁହନ୍ତୁ।**