ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ। ଏଠି ମହିଳା ଅସୁରକ୍ଷିତ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ନୂଆଦିଲ୍ଲୀର ଏକ କାଫେରେ ରାତିଅଧିଆ ପାର୍ଟି ପରେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଏବେ ବି ଫେରାର ଅଛନ୍ତି। ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ମୋଟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୋଲିସର ସୂଚନା ଅନୁସାରେ, ପୀଡ଼ିତା ଏବଂ ଅଭିଯୁକ୍ତମାନେ ଦିଲ୍ଲୀର କ୍ରସ୍ ରିଭର ମଲ କାଫେ ୮ରେ କାମ କରୁଥିଲେ। ସୋମବାର ରାତିରେ ୮ ଜଣ ସହକର୍ମୀ ପ୍ରୀତ ବିହାରର ସଲ୍ତାନେଟ୍ କାଫେରେ ପାର୍ଟି କରିବାକୁ ଏକାଠି ହୋଇଥିଲେ। ସାଧାରଣତଃ ରାତି ୧୧ଟା ୩୦ରେ ବନ୍ଦ ହେଉଥିବା କାଫେଟି ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ପୁଣି ଖୋଲାଯାଇଥିଲା। ଏହାପରେ ସମସ୍ତେ ସେଠାରେ ମଦ୍ୟପାନ ସହ ପାର୍ଟି କରିଥିଲେ।

ରାତି ପ୍ରାୟ ୩ଟା ୩୦ରେ ସମସ୍ତେ କାଫେରୁ ବାହାରିଥିଲେ। ଏହାର କିଛି ସମୟ ପରେ ଦୁଇ ଜଣ ପୁରୁଷ ସହକର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏଥିରେ ଅନ୍ୟ ସହକର୍ମୀମାନେ ମଧ୍ୟ ସହଯୋଗ କରିଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗ ଅନୁଯାୟୀ, ଘଟଣା ପରେ ଯୁବତୀ ତୁରନ୍ତ ପୋଲିସର ଦ୍ୱାରସ୍ଥ ହୋଇନଥିଲେ। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜ୍ରେ ସେ ଜଣେ ପୁରୁଷ ବନ୍ଧୁ ଏବଂ ଅନ୍ୟ ଦୁଇ ମହିଳାଙ୍କ ସହ ଏକ ଗାଡ଼ିରେ ଯାଉଥିବା ଦେଖାଯାଇଛି। ଭୋର ପ୍ରାୟ ୫ଟା ୪୫ରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ବର୍ତ୍ତମାନ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ବୟାନ ରେକର୍ଡ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ। କାଫେର ସିସିଟିଭି ଫୁଟେଜ୍ ସମେତ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରାଯାଉଛି। ତଦନ୍ତ ପରେ ହିଁ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ।