ପୁରୀ ୨୪।୧୧ : ଅନଲାଇନ୍ କ୍ୟାରମ୍ ଗେମ୍ରୁ ପରିଚୟ, ଆଉ ତା’ପରେ ପ୍ରେମ ଜାଲରେ ଫସାଇ ଅପହରଣ। ପୁରୀର ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୩୪ ବର୍ଷୀୟ କେନିଆ ନାଗରିକଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନିଆର ମହମ୍ମଦ ଫଇଜ୍ ମହମ୍ମଦ। ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରୁ ଅଭିଯୁକ୍ତକୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ।

ପୋଲିସ ସୂଚନା ଅନୁଯାୟୀ, ଅନଲାଇନ୍ କ୍ୟାରମ୍ ଗେମ୍ ଖେଳିବା ସମୟରେ ଅଭିଯୁକ୍ତ ମହମ୍ମଦ ଫଇଜ ସହ ପୁରୀର ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଇଥିଲେ। ଗତ ୧୮ ତାରିଖରେ ଅଭିଯୁକ୍ତ ପୁରୀ ଆସି ନାବାଳିକାଙ୍କୁ ଭେଟି ଫେରିଯାଇଥିଲେ। ଏହାପରେ ଗତକାଲି ପୁନର୍ବାର ପୁରୀ ଆସି ଛାତ୍ରୀଙ୍କୁ ଭେଟିବା ସହ ତାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇଯାଇଥିଲେ।

Also Read:-ଏ ଧନ... ସାବଧାନ ! ସାଇବର ଠକ ଓ ନିଶା କାରବାରୀଙ୍କ ବିରୋଧରେ ମଜାଳିଆ ଢଙ୍ଗରେ ଓଡ଼ିଶା ପୋଲିସର ସଚେତନତା

ଛାତ୍ରୀଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତ ଜଣକ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ୧ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବି କରିଥିଲେ। ଏନେଇ ପରିବାର ଲୋକେ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ପୋଲିସ ଭୁବନେଶ୍ୱରର ଜାଗମରା ଅଞ୍ଚଳର ଏକ ଘରୋଇ ହୋଟେଲରେ ଚଢ଼ାଉ କରିଥିଲା ଏବଂ ସେଠାରୁ ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା।

ତେବେ ଉଦ୍ଧାର ପରେ ପୀଡ଼ିତା ଛାତ୍ରୀ ପୋଲିସ ଆଗରେ ସାଙ୍ଘାତିକ ବୟାନ ଦେଇଛନ୍ତି। ଅଭିଯୁକ୍ତ ଜଣକ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ଲାଗି ବାଧ୍ୟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଚଢ଼ାଉ ସମୟରେ ପୋଲିସ ଅଭିଯୁକ୍ତ ନିକଟରୁ ଗୋଟିଏ କୋରାନ, ପାସପୋର୍ଟ ଏବଂ ଭିସା ଜବତ କରିଛି। ଏହି ଘଟଣା ପଛରେ ‘ଲଭ୍ ଜିହାଦ’ର ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ପୁରୀ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।


Watch Video:-