​​​​​ଚେନ୍ନାଇ: ସଂପ୍ରତି ସମାଜରେ ନୈତିକ ସ୍ଖଳନ ଘଟିବାରେ ଲାଗିଛି। କାମନା ବାସନା ପାଇଁ  ସଂପର୍କର ପରିଭାଷା ବଦଳିବାରେ ଲାଗିଛି। ଏହାକୁ ନେଇ ଅଦାଲତରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନିଷ୍ପତ୍ତି। ଅନ୍ୟ ପୁରୁଷଙ୍କ ସହ ଅଶ୍ଳୀଳ ଫଟୋ ସେୟାର କରିବା ଏବଂ ବିଳମ୍ବିତ ରାତି ଯାଏଁ ଭିଡିଓ କଲରେ କଥା ହେବା ଭଳି କାର୍ଯ୍ୟକୁ ଆଧାର କରି ଜଣେ ମାଆକୁ ତାଙ୍କର ଦୁଇ ନାବାଳକ ସନ୍ତାନଙ୍କ କଷ୍ଟଡି ଦେବାକୁ ମନା କରିଛନ୍ତି ମାଦ୍ରାସ ହାଇକୋର୍ଟ। ମାଆର ଏଭଳି "ନୈତିକ ସ୍ଖଳନ" କୋମଳମତି ଶିଶୁଙ୍କ ଚରିତ୍ର ଗଠନରେ ବାଧା ସୃଷ୍ଟି କରିବ ବୋଲି କୋର୍ଟ ନିଜ ରାୟରେ ଦର୍ଶାଇଛନ୍ତି।

ଜଷ୍ଟିସ ପି.ଟି. ଆଶା ଏବଂ ଜଷ୍ଟିସ ଏନ୍. ମାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ଶୁଣାଣି କରି କହିଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ୭ ଏବଂ ୯ ବର୍ଷ ବୟସର ଦୁଇ ଶିଶୁ ଏବେ ଏକ ସମ୍ବେଦନଶୀଳ ବୟସ ଦେଇ ଗତି କରୁଛନ୍ତି। ଏହି ସମୟରେ ମାଆଙ୍କ ଆଚରଣ ଶିଶୁଙ୍କ ମାନସିକ ଓ ନୈତିକ ବିକାଶ ଉପରେ କୁପ୍ରଭାବ ପକାଇପାରେ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, "ଆମ ସଂସ୍କୃତିରେ ‘ମାତା, ପିତା, ଗୁରୁ, ଦୈବମ୍’ର ପରମ୍ପରା ରହିଛି, ଯେଉଁଠି ମାଆକୁ ଭଗବାନଙ୍କଠାରୁ ବି ଉଚ୍ଚ ସ୍ଥାନ ଦିଆଯାଏ। ଏଭଳି ପରିସ୍ଥିତିରେ ନିଜ ନୈତିକତା ହରାଇଥିବା ମାଆ ପାଖରେ ରହିଲେ ପିଲାମାନେ ଭଲ ଓ ମନ୍ଦର ଫରକ୍ ବୁଝିପାରିବେ ନାହିଁ।

Also Read: ଯେଉଁ ଘରେ ବାଜିଥାନ୍ତା ଶାହାନାଇ, ସେଠି ଏବେ କାନ୍ଦବୋବାଳି ; ରାଧାରାଣୀଙ୍କ ନିର୍ବନ୍ଧ ପୂର୍ବରୁ ଆସିଲା ମୃତ୍ୟୁ ଖବର

କ’ଣ ଥିଲା ପୂରା ମାମଲା ?

ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ମସିହାରେ ସେ ସ୍ତ୍ରୀଙ୍କ ମୋବାଇଲରେ କିଛି ନଗ୍ନ ଓ ଅଶ୍ଳୀଳ ଫଟୋ ଦେଖିବାକୁ ପାଇଥିଲେ, ଯାହାକୁ ସେ ଅନ୍ୟ ପୁରୁଷଙ୍କୁ ପଠାଇଥିଲେ। ଏହାସହ ଅନ୍ୟମାନଙ୍କ ସହ ରାତିସାରା ଭିଡିଓ କଲ୍ କରୁଥିବା ବି ଜଣାପଡ଼ିଥିଲା। ଏହା ପରେ ସ୍ୱାମୀ ଜଣକ ସ୍ତ୍ରୀଙ୍କୁ ତାଙ୍କ ବାପାଘରେ ଛାଡ଼ି ଦେଇଥିଲେ, କିନ୍ତୁ ପିଲାମାନେ ବାପାଙ୍କ ପାଖରେ ରହିଥିଲେ।

ପରେ ମାଆ ଜଣକ ନିଜ ସନ୍ତାନଙ୍କୁ ନିଜ ପାଖକୁ ନେବା ପାଇଁ  ପରିବାର ଅଦାଲତ(ଫ୍ୟାମିଲି କୋର୍ଟ)ର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟରେ ପଚରାଉଚରା ସମୟରେ ମହିଳା ଜଣକ ନିଜ ଭୁଲ୍ ସ୍ୱୀକାର କରିବା ପରେ ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ପରିବାର ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମହିଳା ଜଣକ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ତେବେ ପରିବାର ଅଦାଲତଙ୍କ ରାୟକୁ କାୟମ ରଖି ମାଦ୍ରାସ ହାଇକୋର୍ଟ ଶିଶୁଙ୍କ ମଙ୍ଗଳ ଓ ଭବିଷ୍ୟତକୁ ପ୍ରାଥମିକତା ଦେଇ ମା’ଙ୍କୁ କଷ୍ଟଡି ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।