ଭୁବନେଶ୍ବର ୨୦।୯: ସପ୍ତାହେ ପରେ ଘରର ସାନ ଝିଅର ନିର୍ବନ୍ଧ ହୋଇଥାନ୍ତା । ରିଙ୍ଗ ସେରିମନି ପାଇଁ ଘର ପରିବାର, ବନ୍ଧୁ ବାନ୍ଧବ ସମସ୍ତେ ଖୁସିଥିଲେ । କିନ୍ତୁ ହଠାତ୍ ମଧ୍ୟପ୍ରଦେଶରୁ ଗୋଟିଏ ଫୋନ୍ କଲ୍ ସବୁ ଖୁସିକୁ ଭାଙ୍ଗି ଚୁରମାର କରିଦେଲା । ପାଦ ତଳର ମାଟିକୁ ହଲଚଲ କରିଦେଲା । ଖବରକୁ ବିଶ୍ବାସ କରିବା ସମସ୍ତଙ୍କ ପକ୍ଷେ ସହଜ ହେଉନଥିଲା । ଘଟଣା ବିଷୟରେ ଭାବିବା ବେଳକୁ ଛାତି ଭିତରଟା ବିଦାରି ହୋଇଯାଉଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୂରା ଘର ।

ଗୋଟିଏ ପରିବାରର ପୁଅ, ଦୁଇ ଦୁଇଟି ଝିଅ, ଜ୍ବାଇଁ ଏବଂ ତିନି ନାତି-ନାତୁଣୀଙ୍କ ହଠାତ୍ ମୃତ୍ୟୁ ଖବର ଘରର ମୁରବୀଙ୍କ ମୁଣ୍ଡକୁ ଖରାପ କରିଦେଇଥିଲା । ଭୁବନେଶ୍ବର ଜୟଦେବ ବିହାରରେ ଥିବା ବନା ଢ଼ାବା ମାଲିକ ବନମାଳୀ ବେହେରାଙ୍କ ପରିବାରର ୭ ଜଣଙ୍କ ମୃତ୍ୟୁ ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ବନମାଳୀ କହୁଛନ୍ତି, ସେମାନେ ମୋତେ ନକହି ବୁଲିବାକୁ ଯାଇଥିଲେ । ପୁଅ, ଝିଅ, ଜ୍ବାଇଁ, ନାତି ନାତୁଣୀଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ସେ ଭାଙ୍ଗିପଡ଼ିଛନ୍ତି । ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ଏଭଳି ଏକ ଦୁଃଖଦ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଗତ ଗୁରୁବାର ଦିନ ହସ ଖୁସିରେ ବୁଲିବାକୁ ଯାଇଥିଲେ ଏହି ପରିବାରର ୭ ଜଣ ସଦସ୍ୟ । ଏହାର ଗୋଟିଏ ଦିନ ପରେ ଆସିଛି ଏଭଳି ଦୁଃଖଦ ଖବର । ଗତ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଗାଡ଼ିରେ ଯାଉଥିବା ସମୟରେ ଭିଡିଓ କଲ୍ରେ କଥା ହୋଇଥିଲେ । କିଛି ସମୟ ପରେ ଫୋନ୍ କଲ୍ କଟିଗଲା । ସକାଳୁ ପରିବାର ଲୋକ ଯେତେ ଫୋନ୍ ଲଗାଇଥିଲେ, ଫୋନ୍ ଲାଗିନଥିଲା । ବନମାଳୀଙ୍କ ପୁଅ ଶିବ ପ୍ରସାଦ ବେହେରାଙ୍କ ସହ ତାଙ୍କର ଦୁଇ ପିଲା ମଧ୍ୟ ବୁଲିବାକୁ ଯାଇଥିଲେ । ଆଉ ଘରେ ଥିଲେ ପତ୍ନୀ । ଏବେ ସ୍ବାମୀ ଓ କୁନି କୁନି ପୁଅ-ଝିଅଙ୍କ ମୃତ୍ୟୁ ଖବର ଶୁଣି ସେ ପୂରା ନିର୍ବାକ ହୋଇଯାଇଛନ୍ତି । ସନ୍ଧ୍ୟାରେ କଲ୍ କରିବାରୁ ଗାଡ଼ି ଭିତରେ ପିଲାଙ୍କୁ କୋଳରେ ବସାଇଥିବାରୁ କଥା ହୋଇପାରିନଥିଲେ ସ୍ବାମୀ ।

Also Read:- ଦୁର୍ଘଟଣା ପରେ ଖୋଲିଲା ଗଞ୍ଜେଇ କାରବାରର ରହସ୍ୟ ; ବାଇକ୍ ଆରୋହୀ ମୃତ, କାର୍‌ରୁ ମିଳିଲା ଗଞ୍ଜେଇ

ବାପା ମନା କରୁଥିଲେ, ସ୍ତ୍ରୀ ବି ମନା କରୁଥିଲେ । ଯଦି ଯାଇନଥାନ୍ତେ ତାହେଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା । ସେକଥା ଏବେ ଭାବୁଛନ୍ତି ମୃତ ଶିବ ବେହେରାଙ୍କ ପତ୍ନୀ । ହେଲେ ବିଧିର ବିଧାନକୁ କିଏ ବା ଟାଳିପାରିବ । ଯାହା ହେବାର ଥିଲା ତାହା ଘଟିଯାଇଛି । ଏବେ ଛାତିରେ ପଥର ରଖି କିଭଳି ଏତେ ବଡ଼ ଦୁଃଖକୁ ସହିବେ ତାହା ହିଁ ଏହି ପରିବାର ପାଇଁ ବଡ଼ କଥା ।

Watch Video: