ନୂଆଦିଲ୍ଲୀ, ୦୪/୦୬ : ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଶାନ୍ତି ଫେରିବାକୁ ଯାଉଛି । ଆମେରିକାର ମଧ୍ୟସ୍ତତା କାରଣରୁ ଦୁଇ ଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଓ୍ୱାଶିଂଟନରେ ହୋଇଥିବା ଆଲୋଚନାରେ ଉଭୟ ପକ୍ଷ ଦୀର୍ଘଦିନ ଧରି ଜାରି ରହିଥିବା ହିଂସା ଏବଂ ସଙ୍ଘର୍ଷରେ ବିରାମ ଲଗାଇବାକୁ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଆଲୋଚନାରେ ହିଜବୁଲ୍ଲାକୁ ସାମିଲ କରାଯାଇ ନଥିଲା । କିନ୍ତୁ ଯୁଦ୍ଧ ବିରତିର ଅନେକ ସର୍ତ୍ତ ହିଜବୁଲ୍ଲାକୁ ଟାର୍ଗେଟ୍ କରାଯାଇଛି ।

ଶାନ୍ତି ଚୁକ୍ତିର ସର୍ତ୍ତ

ଶାନ୍ତି ଚୁକ୍ତିରେ କୁହାଯାଇଛି ଯେ, ହିଜବୁଲ୍ଲା ଗୁଳିମାଡ ବନ୍ଦ କରିବା ପରେ ହିଁ ଯୁଦ୍ଧ ବିରତି ଲାଗୁ ହେବ । ଏହାସହ ଲିଟାନୀ ନଦୀ ପାଖରୁ ହିଜବୁଲ୍ଲାକୁ ନିଜର ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ହଟାଇବାକୁ ହେବ । ଏଠାରେ କେବଳ ଲେବାନନ ସେନାର ନିୟନ୍ତ୍ରଣ ରହିବ । କୌଣସି ଅଣ ସରକାରୀ ଗୋଷ୍ଠୀକୁ ଏଠାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଇସ୍ରାଏଲର ସିକ୍ୟୁରିଟି ଜୋନ୍

ଚୁକ୍ତି ଅନୁସାରେ ଦକ୍ଷିଣ ଲେବାନନରେ ସ୍ୱତନ୍ତ୍ର ପାଇଲଟ୍ ସିକ୍ୟୁରିଟି ଜୋନ୍ ନିର୍ମାଣ କରାଯିବ । ଏଠାରେ ଲେବାନନ ସେନାକୁ କିଛି ଅଧିକାର ପ୍ରଦାନ କରାଯିବ । ଫଳରେ ସୁରକ୍ଷା ବ୍ୟବସ୍ଥା ସରକାରୀ ନିୟନ୍ତ୍ରଣରେ ରହିବ । ଆମେରିକା ମଧ୍ୟ ଏହି ପଦକ୍ଷେପକୁ ଶାନ୍ତି ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ବିଷୟ କହିଛି ।

ଲିଟାନୀ ନଦୀ ପାଖରେ ହିଜବୁଲ୍ଲାର ପ୍ରବେଶ ବ୍ୟାନ୍

ଆମେରିକା ତରଫରୁ କୁହାଯାଇଛି ଯେ, ଲିଟାନୀ ନଦୀ ପାଖରେ ହିଜବୁଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯିବ । ସେମାନେ ଗୁଳିମାଡ ବନ୍ଦ କରିବା ପାଇଁ ଚାପ ପକାଯିବ । ହିଜବୁଲ୍ଲା ପକ୍ଷରୁ ଗୁଳିମାଡ ବନ୍ଦ ହେଲେ ହିଁ ଯୁଦ୍ଧ ବିରତି ଲାଗୁ ହେବ । ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବୁଧବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ଡ୍ରୋନ୍ ଆକ୍ରମଣ କରିଥିଲା । ଯେଉଁଥିରେ ୬ ଜଣ ପ୍ରାଣ ହରାଇଥିଲେ ।

ଏହାସହ ଇସ୍ରାଏଲ ଏବଂ ଲେବାନନ ଜୁନା ୨୨ରେ ପୁଣି ଥରେ ଆଲୋଚନା କରିବେ । ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ କଥା ହେବେ ।

Also Read :- ୧୦,୦୦୦ ବର୍ଷ ପୂର୍ବେ ସକ୍ରିୟ ହୋଇଥିଲା, ଏବେ ପୁଣି ଘଟିବାର ସମ୍ଭାବନା, ନ୍ୟୁଜିଲାଣ୍ଡକୁ ମାଡ଼ି ଆସୁଛି ବିପଦ

ପୂର୍ବରୁ ବି ହୋଇଛି ସିଜଫାୟାର

ଗତ ଏପ୍ରିଲରେ ଦୁଇ ଦେଶ ଯୁଦ୍ଧ ବିରାମ ନେଇ ରାଜି ହୋଇଥିଲେ । ଏହାପରେ ବି ଲେବାନନ ଉପରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା । ବୋମାମାଡ କରିଥିଲା । ଏପରିକି ଲେବାନନ ଅନେକ ଅଞ୍ଚଳକୁ ଇସ୍ରାଏଲ ସେନା କବଜା କରି ନେଇଥିଲେ ।