ନୂଆଦିଲ୍ଲୀ: ବିପଦରେ ୧୮ ଲକ୍ଷ ଲୋକଙ୍କ ଜୀବନ । ନ୍ୟୁଜିଲାଣ୍ଡ ପାଇଁ ମାଡ଼ି ଆସୁଛି ଭୟଙ୍କର ବିପଦ ! "ଦି ବିଗ୍ ୱାନ୍" ନାଁରେ ନାମିତ ଏକ ବଡ଼ ଭୂକମ୍ପ କାଲିଫର୍ଣ୍ଣିଆ ବଦଳରେ ନ୍ୟୁଜିଲ୍ୟାଣ୍ଡରେ ଆସିପାରେ । ବୈଜ୍ଞାନିକମାନେ ଦେଶ ମଧ୍ୟ ଦେଇ ଗତି କରୁଥିବା ଏକ ସକ୍ରିୟ ଫଲ୍ଟ ଲାଇନ୍ ଆବିଷ୍କାର କରିଛନ୍ତି, ଯାହା ଏକ ବିନାଶକାରୀ ୬.୮ ତୀବ୍ରତାର ଭୂକମ୍ପ ସୃଷ୍ଟି କରିପାରେ । ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ସେମାନେ ଜାଣିବାକୁ ପାଇଛନ୍ତି ଯେ ଦକ୍ଷିଣ ଅକଲ୍ୟାଣ୍ଡର ହୁନୁଆ ରେଞ୍ଜସ୍ ଦେଇ ଯାଇଥିବା ମାଙ୍ଗାତାଙ୍ଗି ଫଲ୍ଟ ପୁଣି ଥରେ ଫାଟିପାରେ । ଯଦି ଏପରି ହୁଏ, ତେବେ ଅକଲ୍ୟାଣ୍ଡରେ ରହୁଥିବା ୧୮ ଲକ୍ଷ ଲୋକ ଗମ୍ଭୀର ପରିଣାମ ଭୋଗିପାରନ୍ତି। ଏହି ଫଲ୍ଟ ଲାଇନ୍ ଶେଷ ଥର ପାଇଁ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଫାଟିଥିଲା।

ଅଧ୍ୟୟନର ସହ-ଲେଖକ ଡକ୍ଟର ଜେମ୍ସ ମୁଇରହେଡ୍ କହିଛନ୍ତି, "ଯଦି ଏହି ସମ୍ପୂର୍ଣ୍ଣ ଫଲ୍ଟ ଲାଇନ୍ ଫାଟିଯାଏ, ତେବେ ଦକ୍ଷିଣ ଅକଲ୍ୟାଣ୍ଡରେ ରହୁଥିବା ଲୋକ ଏବଂ ସମ୍ଭବତଃ କେନ୍ଦ୍ରୀୟ ଅକଲ୍ୟାଣ୍ଡ ପର୍ଯ୍ୟନ୍ତ ଏହାର ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ ।"

 ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆନ୍ ଏବଂ ପାସିଫିକ୍ ଟେକ୍ଟୋନିକ୍ ପ୍ଲେଟ୍‌ର ସୀମାରେ ଅବସ୍ଥିତ, ଯାହା ଏହାକୁ ଭୂକମ୍ପ ପ୍ରବଣ କରିଥାଏ । କିନ୍ତୁ ବିଶେଷଜ୍ଞମାନେ ଅକଲ୍ୟାଣ୍ଡ ପ୍ରତି ଥିବା ବିପଦକୁ ସମ୍ପୂର୍ଣ୍ଣ ରୂପେ ଆକଳନ କରିବାକୁ ସକ୍ଷମ ହୋଇନଥିଲେ । ଅଧ୍ୟୟନର ଏକ ଅଂଶ ଭାବରେ, ଗବେଷକମାନେ ମାଙ୍ଗାତାଙ୍ଗି ଫଲ୍ଟର ବିଶ୍ଳେଷଣ କରିବା ପାଇଁ 'ରେଡିଓକାର୍ବନ ଡେଟିଂ'  ବ୍ୟବହାର କରିଥିଲେ । ଏଥିରୁ ଜଣାପଡିଥିଲା ଯେ ଗତ ୧୦,୦୦୦ ବର୍ଷ ମଧ୍ୟରେ ଏଥିରେ କୌଣସି ହଲଚଲ ହୋଇନାହିଁ । ଏହାକୁ ସକ୍ରିୟ ଶ୍ରେଣୀଭୁକ୍ତ କରାଯାଇଛି । ଯଦି କୌଣସି ଫଲ୍ଟ ଲାଇନରେ ୧୨୫,୦୦୦ ବର୍ଷ ମଧ୍ୟରେ କୌଣସି ଗତିବିଧି କିମ୍ବା ହଲଚଲ ଦେଖାଯାଇଥାଏ, ତାହାକୁ ସକ୍ରିୟ ବୋଲି ଧରାଯାଏ ।

ଏହି ଅଧ୍ୟୟନର ମୁଖ୍ୟ ଲେଖିକା ହାନାହ ମାର୍ଟିନ କହିଛନ୍ତି, "ଏହା ଏକ ସକ୍ରିୟ ଫଲ୍ଟ, ଯାହା ଏଭଳି ଏକ ଅଞ୍ଚଳରେ ବଡ଼ ଭୂକମ୍ପ ସୃଷ୍ଟି କରିବାର କ୍ଷମତା ରଖିଛି, ଯେଉଁଠାରେ କେହି ଆଶା କରୁନାହାନ୍ତି ।"

ଯଦି ଏପରି ହୁଏ, ତେବେ ୬.୮ ତୀବ୍ରତାର ଏହି ଭୂକମ୍ପ ବଡ଼ ବିପର୍ଯ୍ୟୟ ଆଣିପାରେ । ରାସ୍ତାଘାଟ ଫାଟିଯିବ ଏବଂ କୋଠାବାଡ଼ି ଭୁଶୁଡ଼ି ପଡ଼ିବ । ତେବେ ହାନାହ କହିଛନ୍ତି ଯେ, ଏଭଳି ଏକ ସମ୍ଭାବନା ମଧ୍ୟ ଅଛି ଯେ ଏହି ଫଲ୍ଟ ଲାଇନ୍ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପୁଣି ଥରେ ନ ଫାଟିପାରେ । ମୁଇରହେଡ୍ କହିଛନ୍ତି ଯେ ଅକଲ୍ୟାଣ୍ଡ ପାଇଁ ଏହି ବିପଦ ଏବେ ବି କମ୍ ରହିଛି । କିନ୍ତୁ ଅଧ୍ୟୟନରୁ ଜଣାପଡିଛି ଯେ ଆମେ ଏପର୍ଯ୍ୟନ୍ତ ଯାହା ଭାବୁଥିଲେ, ବିପଦ ତା'ଠାରୁ ଯଥେଷ୍ଟ ଅଧିକ ହୋଇପାରେ ।