ଚେନ୍ନାଇ: ଭାରତୀୟ ୱିକେଟକିପର ବ୍ୟାଟର ଇଶାନ କିଷନ ଦୁଲୀପ ଟ୍ରଫି ୨୦୨୬ ଫାଇନାଲରେ ଏକ ଦମଦାର ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି। ସାଉଥ୍ ଜୋନ୍ ବିପକ୍ଷରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ଇଷ୍ଟ ଜୋନ୍ (ପୂର୍ବାଞ୍ଚଳ)ର ଅଧିନାୟକ ଇଶାନ କିଷନ ନିଜର ଶତକକୁ ଦ୍ୱିଶତକରେ ପରିଣତ କରି ଅନେକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ଦିନରେ ୧୧୧ ରନରେ ଅପରାଜିତ ଥିବା ଇଶାନ , ଦ୍ଵିତୀୟ ଦିନରେ ୨୫୦ ରନ କରି ରିଟାୟର୍ଡ ହଟ୍ ହୋଇଛନ୍ତି।

ପ୍ରଥମ ପୂର୍ବ ଜୋନ୍ ବ୍ୟାଟର ଓ ୱିକେଟକିପର ଭାବେ କୀର୍ତ୍ତିମାନ

ଦୁଲୀପ ଟ୍ରଫି ଫାଇନାଲ୍ ଇତିହାସରେ ପ୍ରଥମ ପୂର୍ବ ଜୋନ୍ ବ୍ୟାଟର ଭାବେ ଦ୍ୱିଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ଇଶାନ। ଏହା ପୂର୍ବରୁ ୨୦୧୨ ଫାଇନାଲରେ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ଋଦ୍ଧିମାନ ସାହା ୧୭୦ ରନ୍ କରିଥିଲେ, ଯାହା ପୂର୍ବ ଜୋନ୍ ବ୍ୟାଟରଙ୍କ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଇଶାନ ସାହାଙ୍କ ଏହି ରେକର୍ଡକୁ ଭାଙ୍ଗି ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥିସହିତ, ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ମାରିବାରେ ସେ ପ୍ରଥମ ୱିକେଟକିପର ଏବଂ ପ୍ରଥମ ୱିକେଟକିପର-ଅଧିନାୟକ ହୋଇଛନ୍ତି। ପୂର୍ବରୁ ୨୦୧୦ ଫାଇନାଲରେ ଦିନେଶ କାର୍ତ୍ତିକ ୱେଷ୍ଟ ଜୋନ୍ ବିପକ୍ଷରେ ୧୮୩ ରନ୍ କରିଥିବା ରେକର୍ଡକୁ ମଧ୍ୟ ଇଶାନ ଅତିକ୍ରମ କରିଛନ୍ତି।

Also Read: IND vs AFG: ଟି-୨୦ ସିରିଜ୍ ପୂର୍ବରୁ ଭାରତର ନକ୍ସାକୁ ନେଇ ବିବାଦ, କ୍ଷୁବ୍ଧ କ୍ରିକେଟ୍ ଫ୍ୟାନ୍

ଦୁଲୀପ ଫାଇନାଲରେ ଦ୍ୱିଶତ ହାସଲ କରିବାରେ ସପ୍ତମ ବ୍ୟାଟର

ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ହାସଲ କରିବାରେ ଇଶାନ ହେଉଛନ୍ତି ସପ୍ତମ ବ୍ୟାଟର। ତାଙ୍କ ପୂର୍ବରୁ ରମଣ ଲାମ୍ବା, ଯଶସ୍ୱୀ ଜାଇସ୍ୱାଲ, ଚେତେଶ୍ୱର ପୂଜାରା, ଅଂଶୁମାନ ଗାଏକୱାଡ, ଯୁସୁଫ ପଠାନ ଏବଂ ମନସୁର ଅଲ୍ଲୀ ଖାନ ପଟୌଦୀ ଏହି ସଫଳତା ପାଇସାରିଛନ୍ତି। ଇଶାନ ନିଜର ଏହି ଇନିଂସରେ ୩୦୧ ବଲରୁ ୨୭ ଚୌକା ଓ ୭ ଛକା ଜରିଆରେ ୨୫୦ ରନ କରିଛନ୍ତି।

'ଡବଲ ସେଞ୍ଚୁରୀ' ରେକର୍ଡ

ଇଶାନ କିଷନଙ୍କ ନାମରେ ଏବେ ଏକ ସ୍ୱତନ୍ତ୍ର ରେକର୍ଡ ଯୋଡ଼ିହୋଇଛି। ସେ ପୂର୍ବରୁ ୨୦୨୨ରେ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍ରେ ଦ୍ୱିଶତକ (୨୧୦ ରନ୍) ହାସଲ କରିଥିଲେ। ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ମାରିଥିବା ପୂର୍ବର ୬ ଜଣ ବ୍ୟାଟରଙ୍କ ମଧ୍ୟରୁ କାହାରି ନାମରେ ଦିନିକିଆ ଦ୍ୱିଶତକ ନାହିଁ। ଫଳରେ ଏକଦିବସୀୟ ଏବଂ ଦୁଲୀପ ଟ୍ରଫି ଫାଇନାଲ ଉଭୟରେ ଦ୍ୱିଶତକ ହାସଲ କରିବାରେ ଇଶାନ ବିଶ୍ୱର ଏକମାତ୍ର କ୍ରିକେଟର ପାଲଟିଛନ୍ତି।

Also Read: ମହିଳା ଏସିଆ କପ୍ ଫାଇନାଲ୍: ପୁଣି ଥରେ ଡ୍ରାମା କରିବେ କି ମୋହସିନ୍ ନକଭି ?

ଦୁଲୀପ ଟ୍ରଫିରେ ସବୁଠୁ ବଡ଼ ଇନିଂସ(ପୂର୍ବାଞ୍ଚଳ ପାଇଁ)

୨୮୭ ରନ- ଅରୁଣ ଲାଲ

୨୫୦* ରନ- ଇଶାନ କିଶନ

୨୧୪ ରନ- ଅରୁଣ ଲାଲ

୨୦୦ ରନ- ସବା କରିମ