ଦୁବାଇ: ପୁରୁଷ ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତୀୟ ଦଳ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ଚାମ୍ପିଅନ ହୋଇଥିଲା। ହେଲେ ପୁରସ୍କାର ସମାରୋହରେ ବହୁତ ଡ୍ରାମା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ବର୍ଷେ ପୂରି ସାରିଛି। ମାତ୍ର ଏ ପର୍ଯ୍ୟନ୍ତ ମୋହସିନ ନକଭି ଟିମ୍ ଇଣ୍ଡିଆକୁ ଟ୍ରଫି ଦେଇ ନାହାନ୍ତି। ହେଲେ ଏହି ଘଟଣାର ପୁଣି ଥରେ ପୁନରାବୃତ୍ତି ଘଟିପାରେ। କାରଣ ସେପ୍ଟେମ୍ବର ୧୩ରେ ମହିଳା ଏସିଆ କପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତ ସେମି ଫାଇନାଲରେ ପ୍ରବେଶ କରି ସାରିଛି ଏବଂ ଫାଇନାଲ୍ ପହଞ୍ଚିବାର ସମ୍ଭାବନା ରହିଛି। ମୋହସିନ ନକଭି ଫାଇନାଲ୍ ମ୍ୟାଚରେ ଉପସ୍ଥିତ ରହିବେ ବୋଲି କୁହାଯାଉଛି।

ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ଏବେ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ ନୂଆ ବିବାଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏସୀୟ କ୍ରିକେଟ୍ କାଉନ (ACC) ସଭାପତି ମୋହସିନ୍ ନକଭି ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିବା ପରେ ଏହି ସଂଶୟ ସୃଷ୍ଟି ହୋଇଛି।

Also Read: 'ପାକିସ୍ତାନ ସବୁଠାରୁ ଶ୍ରେଷ୍ଠ ଟିମ୍...', ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ବାଉଳି ହେଉଛନ୍ତି ୱହାବ ରିଆଜ୍

ପୁରୁଣା ବିବାଦର ପୁନରାବୃତ୍ତି ସମ୍ଭାବନା ?

ଗୋଟିଏ ବର୍ଷ ପୂର୍ବେ ଅର୍ଥାତ ୨୦୨୫ ସେପ୍ଟେମ୍ବର ୨୮ରେ ପୁରୁଷ ଏସିଆ କପ୍ ଫାଇନାଲରେ ଭାରତ, ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଚାମ୍ପିଅନ୍ ହୋଇଥିଲା। ସେତେବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ ନକଭି ଟ୍ରଫି ଧରି ମଇଦାନ ବାହାରକୁ ଚାଲିଯାଇଥିଲେ, ଯାହାଫଳରେ ଟିମ୍ ଇଣ୍ଡିଆକୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା।

ମହିଳା ଟିମକୁ ନେଇ ସେହି ସମାନ ଆଶଙ୍କା

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ 'ଜିଓ ସୁପର୍'ର ରିପୋର୍ଟ ଅନୁସାରେ, ଫାଇନାଲ୍ ମ୍ୟାଚ୍ ସମୟରେ ନକଭି ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ। ବର୍ତ୍ତମାନ ଟୁର୍ନାମେଣ୍ଟର ଲିଗ୍ ପର୍ଯ୍ୟାୟ ଚାଲିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ସେମିଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଅନ୍ୟପଟେ ପାକିସ୍ତାନ ଓ ବାଂଲାଦେଶ ସେମିଫାଇନାଲକୁ ଯିବାର ସମ୍ଭାବନା ଅଧିକ ରହିଛି। ଭାରତୀୟ ମହିଳା ଟିମ୍ ସେପ୍ଟେମ୍ବର ୧୦ରେ ସେମିଫାଇନାଲ୍ ଖେଳିବ।

Also Read: IND vs PAK ମ୍ୟାଚରେ ପାକିସ୍ତାନ ଫ୍ୟାନ ଗାଇଲେ ଭାରତର ଜାତୀୟ ସଙ୍ଗୀତ, VIDEO ଭାଇରାଲ୍

ଯଦି ହରମନ୍ପ୍ରୀତଙ୍କ ଭାରତୀୟ ଟିମ୍ ଫାଇନାଲରେ ପହଞ୍ଚି ଚାମ୍ପିଅନ୍ ହୁଏ, ତେବେ ପୁଣି ଥରେ ଟ୍ରଫି ଗ୍ରହଣକୁ ନେଇ ନାଟକ ଦେଖିବାକୁ ମିଳିପାରେ। ପୁରୁଷ ଟିମ୍ ଭଳି ମହିଳା ଟିମ୍ ମଧ୍ୟ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।