ନୂଆଦିଲ୍ଲୀ: ଭାରତ-ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଐତିହାସିକ ଟି-୨୦ ସିରିଜ୍ ସେପ୍ଟେମ୍ବର ୧୩ରୁ ଖେଳାଯିବ। ଏହି ସିରିଜ୍ ଏଥିପାଇଁ ଐତିହାସିକ କାରଣ, ଆଫଗାନିସ୍ତାନ ଟିମ୍ ଭାରତରେ ହିଁ ଏହି ସିରିଜ୍ ଆୟୋଜନ କରିବାକୁ ଯାଉଛି। ଆଉ ଭାରତୀୟ ଟିମ୍ ନିଜ ଘରେ ଆଫଗାନିସ୍ତାନର ଆତିଥ୍ୟ ଗ୍ରହଣ କରିବ। ସିରିଜର ସମସ୍ତ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ହେଲେ ଏହି ସିରିଜ୍ ପୂର୍ବରୁ ଦେଖା ଦେଇଛି ବଡ଼ ବିବାଦ। ଏହାକୁ ନେଇ ଭାରତୀୟ କ୍ରିକେଟ୍ ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆଫଗାନିସ୍ତାନର ୨ ବଡ଼ ଭୁଲ୍

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ପୂର୍ବରୁ ନିଜର ସୋସିଆଲ ମିଡିଆରେ ସିରିଜର ରୋମାଞ୍ଚ ବଢାଇବା ପାଇଁ ଏକ ପ୍ରୋମୋ ଜାରି କରିଥିଲା। ହେଲେ ଏଥିରେ ହୋଇଥିବା ୨ଟି ତ୍ରୁଟି କାରଣରୁ ଆଫଗାନିସ୍ତାନ ବୋର୍ଡକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ପ୍ରଥମ ତ୍ରୁଟି

ଏହି ପ୍ରୋମୋ ଭିଡିଓରେ ଦୁଇ ଜଣ ଛୋଟ ପିଲା ଭାରତ ଓ ଆଫଗାନିସ୍ତାନର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ଆଫଗାନିସ୍ତାନର ଜର୍ସିରେ କିଛି ତ୍ରୁଟି ନାହିଁ, ମାତ୍ର ଭାରତୀୟ ଜର୍ସିରେ ତ୍ରୁଟି ଦେଖିବାକୁ ମିଳିଛି। ଭାରତର ଟି-୨୦ ଜର୍ସିରେ ଆଫଗାନିସ୍ତାନ ୨ଟି ଷ୍ଟାର ଦେଖାଇଛି। କିନ୍ତୁ ଭାରତୀୟ ଦଳ ତିନୋଟି ଟି-୨୦ ବିଶ୍ଵକପ୍ ଜିତି ସାରିଛି, ଯାହା ଜର୍ସିରେ ଟିମର ବିଶ୍ଵକପ୍ ଜିତିବାକୁ ଦର୍ଶାଇଥାଏ। ଭାରତ ୨୦୦୭, ୨୦୨୪ ଏବଂ ୨୦୨୬ରେ ଟି-୨୦ ବିଶ୍ଵକପ୍ ଜିତିଛି।

 

ଦ୍ଵିତୀୟ ତ୍ରୁଟି

ଦ୍ଵିତୀୟ ତ୍ରୁଟିକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରିକେଟ୍ ପ୍ରେମୀ। ପ୍ରୋମୋର ଭିଡିଓରେ ଭାରତର ନକ୍ସା ଦର୍ଶା ଯାଇଛି। ପ୍ରଥମ ଝଲକରେ ନକ୍ସା ଠିକ୍ ଥିବା ଦେଖିବାକୁ ମିଳିଛି। ମାତ୍ର ଭିଡିଓ ଆଗକୁ ବଢିବା ମାତ୍ରେ କାଶ୍ମୀରର କିଛି ଅଂଶ ଗାଏବ ହୋଇ ଯାଉଛି। ଗାଏବ ଅଞ୍ଚଳ ପିଓକେର ଅଂଶ। ଭାରତୀୟ ପ୍ରଶଂସକ ଆଫଗାନିସ୍ତାନର ଏହି ତ୍ରୁଟିକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ନକ୍ସା ଠିକ୍ କରିବାକୁ ପରାମର୍ଶ ଦେଇଛନ୍ତି।

ଆଫଗାନିସ୍ତାନଠୁ କେବେ ଟି-୨୦ ହାରିନି ଭାରତ

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏ ପର୍ଯ୍ୟନ୍ତ ୮ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି। ଏଥିରୁ ସମସ୍ତ ମ୍ୟାଚ୍ ଭାରତ ଜିତିଛି। ଗୋଟିଏ ମ୍ୟାଚ୍ ସୁପର ଓଭର ପର୍ଯ୍ୟନ୍ତ ଯାଇଥିଲେ ହେଁ, ଭାରତ ଜିତି ନେଇଥିଲା। ଏମିତିରେ ଆଫଗାନିସ୍ତାନ ଭାରତ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଉଲ୍ଲେଖନୀୟ ଭାରତ ନିକଟରେ ଆୟରଲାଣ୍ଡ ବିପକ୍ଷରେ ବଡ଼ ଧରଣର ବିପର୍ଯ୍ୟୟର ଶିକାର ହୋଇଥିଲା। ଆୟରଲାଣ୍ଡ ଟିମ୍ ଇଣ୍ଡିଆକୁ ନିଜର ଘରୋଇ ମାଟିରେ ୦-୨ରେ ମାତ୍ ଦେଇଥିଲା।