ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଇଥିବା ହାଇସ୍କୋରିଂ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ୬ ଓ୍ଵିକେଟରେ ସହଜରେ ହରାଇଛି ଆରସିବି। ହାଇଦ୍ରାବାଦର ୨୦୧ ରନ ଆରସିବି ଆଗରେ ବହୁତ ଛୋଟ ସାବ୍ୟସ୍ତ ହୋଇଛି ଏହା ସହିତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟକୁ ଆରସିବି ୧୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦେବଦତ୍ତ ପାଡିକଲ ୬୧ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୬୯ ରନରେ ଅପରାଜିତ ରହି ଦଳକୁ ଜିତାଇଛନ୍ତି। ରଜତ ପାଟିଦାର ୧୨ ବଲରୁ ୩୧ ରନ କରିଥିଲେ। ଏହା ପୂର୍ବରୁ ଇଶାନ କିଶନଙ୍କ ୮୦ ରନ ବଳରେ ଏସଆରଏଚ ୯ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା।

୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବିକୁ ୯ ରନରେ ପ୍ରଥମ ଝଟକା ଲାଗିଥିଲେ ହେଁ ବେଶ ଦମଦାର ସହ ଇନିଂସ ଆରମ୍ଭ କରିଥିଲା। ଫିଲ ସଲ୍ଟ ୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ମଙ୍ଗ ସମ୍ଭାଳିଥିଲେ। ଦେବଦତ୍ତ ପାଡିକଲ ଧୂଆଁଧାର ବ୍ୟାଟିଂ କରି ହାଇଦ୍ରାବାଦକୁ ମ୍ୟାଚରେ ବ୍ୟାକଫୁଟକୁ ଠେଲିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୧ ରନର ଶତକୀୟ ଭାଗିଦାରୀ ଯୋଡ଼ି ଦଳର ବିଜୟ ସହଜ କରିଥିଲେ। ପାଡିକଲ ୨୬ ବଲରୁ ୭ ଚୌକା ଓ ୪ ଛକା ସହ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ।

​​​​​​​Also Read:  ପ୍ରଥମ ମ୍ୟାଚରେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଆରସିବି ଖେଳାଳି, ହେଲେ କାହିଁକି ?

ତାଙ୍କ ପରେ ଅଧିନାୟକ ରଜତ ପାଟିଦାର ମଧ୍ୟ କ୍ରିଜକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୨ ବଲରୁ ୩୧ ରନ କରି ଦଳର ବିଜୟକୁ ଆହୁରି ସହଜ କରିଥିଲେ। ମ୍ୟାଚରେ ହାଇଦ୍ରାବାଦ ବୋଲର ସଂପୂର୍ଣ୍ଣ ବିବଶ ନଜର ଆସିଥିଲେ। ଅନ୍ୟପଟେ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି ଭଲ ଫର୍ମରେ ଥିବା ସଙ୍କେତ ଦେଇଛନ୍ତି। ଶେଷରେ ଆରସିବି ମାତ୍ର ୧୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।  କୋହଲି ୩୮ ବଲରୁ ୫ ଚୌକା ଓ ୫ ଛକା ସହ ୬୯ ରନରେ ଅପରାଜିତ ଥିଲେ। ଟିମ୍ ଡେଭିଡ ୧୬ ରନ କରି କ୍ରିଜରେ ଥିଲେ।

SRH ଇନିଂସ

ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ। ଦଳର ଆରମ୍ଭ ନିରାଶଜନକ ଥିଲା। ୨୯ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା ଦଳ।  ଅଭିଷେକ ଶର୍ମା ୧୧ ରନ, ଟ୍ରେଭିସ ହେଡ ୭ ରନ ଓ ନୀତିଶ କୁମାର ରେଡ୍ଡୀ ମାତ୍ର ୧ ରନ କରିଥିଲେ। ଏହା ପରେ ଅଧିନାୟକ ଇଶାନ କିଶନ ଓ ହେନରିକ କ୍ଲାସେନ ଇନିଂସ ସମ୍ଭାଳିଥିଲେ। ଇଶାନ ବିଶ୍ଵକପର ଚମତ୍କାର ଫର୍ମକୁ ବଜାୟ ରଖିଥିଲେ। ସେ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଏବଂ କ୍ଲାସେନ ୪ର୍ଥ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।

Also Read: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ କି ନାହିଁ ବୁମରା ? ମ୍ୟାଚ୍ ପୂର୍ବରୁ ଆସିଲା ବଡ଼ ଖବର​​​​​​​

କ୍ଲାସେନ ୩୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ସଲିଲ ଅରୋରା ୯ ରନ କରିଥିଲେ। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୩୮ ବଲରୁ ୮ ଚୌକା ଓ ୫  ଛକା ସହ ୮୦ ରନ କରିଥିଲେ। ଏହା ପରେ ହାଇଦ୍ରାବାଦ ଲଗାତାର ଓ୍ଵିକେଟ୍ ହରାଇଥିଲେ। ହେଲେ ନିମ୍ନକ୍ରମରେ ଅନିକେତ ବର୍ମା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୮ ବଲରୁ ୩ ଚୌକା ଓ ୪ ଛକା ସହ ୪୩ ରନ କରିଥିଲେ। ଫଳରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୨୦୧ ରନ  କରି ପାରିଛି।