ନୂଆଦିଲ୍ଲୀ ୨୩।୧୦; ରାତିରେ ଶାନ୍ତିରେ ଶୋଇଥିବା ବେଳେ ବାରମ୍ବାର ପରିସ୍ରା କରିବା ପାଇଁ ଆପଣଙ୍କ ନିଦ ଭାଙ୍ଗୁଛି କି? ଯଦି ଏହା ନିୟମିତ ଭାବେ ହେଉଛି, ତେବେ ଏହାକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତୁ ନାହିଁ। କାରଣ, ଏହା ପଛରେ ମଧୁମେହ, ମୂତ୍ରନଳୀ ସଂକ୍ରମଣ କିମ୍ବା ମୂତ୍ରାଶୟ ଜନିତ ସମସ୍ୟା ଭଳି କିଛି ସ୍ୱାସ୍ଥ୍ୟଗତ କାରଣ ରହିଥାଇପାରେ।

ଡାକ୍ତରୀ ଭାଷାରେ ରାତିରେ ବାରମ୍ବାର ପରିସ୍ରା କରିବାକୁ ‘ନକ୍ଟୁରିଆ’ କୁହାଯାଏ। ଶୋଇବା ପୂର୍ବରୁ ଅଧିକ ପାଣି ପିଇବା, ଚା’ କିମ୍ବା କଫି ପିଇବା ଯୋଗୁଁ ମଧ୍ୟ ଏପରି ହୋଇପାରେ। ତେବେ ଏହା ସହିତ ଅତ୍ୟଧିକ ଶୋଷ ଲାଗିବା, ପରିସ୍ରା କରିବା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦେଲେ ସତର୍କ ହେବା ଜରୁରୀ।

ଏହି ସମସ୍ୟାକୁ କମାଇବା ପାଇଁ ସନ୍ଧ୍ୟା ପରେ ଚା’, କଫି ଏବଂ ଅତ୍ୟଧିକ ପାନୀୟ ସେବନରୁ ଦୂରେଇ ରୁହନ୍ତୁ। କିନ୍ତୁ ଶରୀରକୁ ଆବଶ୍ୟକ ପାଣି ପିଇବା କମାନ୍ତୁ ନାହିଁ। ଯଦି ସମସ୍ୟା ଲଗାତାର ରହୁଛି, ନିଦ ବାରମ୍ବାର ଭାଙ୍ଗୁଛି କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେଣୁ ରାତିରେ ବାରମ୍ବାର ପରିସ୍ରା ଲାଗିବାକୁ ଅଣଦେଖା ନକରି ଏହାର ପ୍ରକୃତ କାରଣ ଜାଣିବା ଜରୁରୀ। ସଚେତନ ରୁହନ୍ତୁ, ସୁସ୍ଥ ରୁହନ୍ତୁ।