ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ରକ୍ତଶର୍କରା ବା ବ୍ଲଡସୁଗାର୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନିୟମିତ ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ। ତେବେ ଉପଯୁକ୍ତ ଖାଦ୍ୟ ଚୟନ ଓ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସହାୟତା ମିଳିପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ରକ୍ତରେ ଶର୍କରା ସ୍ତର ଅଧିକ ଥିବା ବ୍ୟକ୍ତିମାନେ ନିଜ ଖାଦ୍ୟ ତାଲିକାରେ ଅଧିକ ଫାଇବର୍ଯୁକ୍ତ ଖାଦ୍ୟ, ପ୍ରୋଟିନ୍ ଓ ପୋଷକତତ୍ତ୍ୱ ଥିବା ଖାଦ୍ୟକୁ ସାମିଲ କରିବା ଉଚିତ। ଖାଦ୍ୟରେ ସବୁବେଳେ ସବୁଜ ପନିପରିବା ସାମିଲ କରନ୍ତୁ | ଯେପରିକି ପାଳଙ୍ଗ ଶାଗ, ଲାଉ, ଭେଣ୍ଡି, କାକୁଡ଼ି ଓ ଅନ୍ୟାନ୍ୟ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ। ଡାଲି ଓ ଡାଲିଜାତୀୟ ଖାଦ୍ୟ ଯେପରିକି ମୁଗ, ବୁଟ, ରାଜମା ଓ ବିଭିନ୍ନ ଡାଲି ପ୍ରୋଟିନ୍ ଏବଂ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିସହ ଓଟ୍ସ, ଡାଲିଆ ଓ ଅଧିକ ଫାଇବର୍ଯୁକ୍ତ ଶସ୍ୟ ବାଛନ୍ତୁ। ଭାତ ଓ ରୁଟିର ପରିମାଣ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ବାଦାମ ଓ ମଞ୍ଜିଜାତୀୟ ଖାଦ୍ୟ ଯେପରିକି ଅଳ୍ପ ପରିମାଣରେ ବାଦାମ, ଅଖରୋଟ ଓ ଅନ୍ୟାନ୍ୟ ମଞ୍ଜି ଖାଇପାରିବେ। ପିଜୁଳି, ସେଓ, କମଳା ଓ ଅନ୍ୟାନ୍ୟ ସମ୍ପୂର୍ଣ୍ଣ ଫଳକୁ ଉପଯୁକ୍ତ ପରିମାଣରେ ଖାଆନ୍ତୁ। ଫଳରସ ବଦଳରେ ସମ୍ପୂର୍ଣ୍ଣ ଫଳ ଖାଇବା ଭଲ।

ବ୍ଲଡସୁଗାର୍ ନିୟନ୍ତ୍ରଣ ପାଇଁ କେଉଁ ପାନୀୟ ପିଇବେ ?

ପାନୀୟ ଚୟନ ମଧ୍ୟ ରକ୍ତଶର୍କରା ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ସାଧା ପାଣି ସବୁଠାରୁ ଭଲ ବିକଳ୍ପ। ଚିନି ବିନା ଚା' କିମ୍ବା କଫି, ଅଧିକ ଚିନି, ମିଠା ସିରପ୍ ଓ ଅଧିକ କ୍ରିମ୍ ମିଶାଇବାରୁ ଦୂରେଇ ରୁହନ୍ତୁ । ଲୁଣ ଅଳ୍ପ ଥିବା ଓ ଚିନି ମିଶାଯାଇନଥିବା ଛାସ ଏକ ଭଲ ବିକଳ୍ପ ହୋଇପାରେ। ଉଚ୍ଚ ରକ୍ତଚାପ କିମ୍ବା କିଡ୍ନି ସମସ୍ୟା ଥିଲେ ଲୁଣ ପରିମାଣ ପୁରା କମାଇ ଦିଅନ୍ତୁ। ଚିନି ବିନା ହର୍ବାଲ୍ ଚା' ପିଅନ୍ତୁ ଏହା ମିଠା ପାନୀୟର ଏକ ବିକଳ୍ପ ହୋଇପାରେ। କିନ୍ତୁ କୌଣସି ହର୍ବାଲ୍ ପାନୀୟକୁ ଡାଇବେଟିସ୍ର ଔଷଧ ଭାବେ ବ୍ୟବହାର କରନ୍ତୁ ନାହିଁ। ରକ୍ତଶର୍କରା ସ୍ତର ଅଧିକ ଥିଲେ କୋଲ୍ଡ ଡ୍ରିଙ୍କ୍ସ, ପ୍ୟାକେଟ୍ ଫ୍ରୁଟ ଜୁସ , ଅଧିକ ଚିନି ମିଶା ଚା' ଓ କଫି, ମିଠା, କେକ୍, ବିସ୍କୁଟ୍ ଏବଂ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ସେବନ କମାଇବା ଆବଶ୍ୟକ। ଏହା ସହିତ ଏକାଥରେ ଅଧିକ ଭାତ କିମ୍ବା ଅନ୍ୟ କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ।

ଏଥିସହିତ ପ୍ରତିଦିନ ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଅତି କମ୍ରେ ୩୦ ମିନିଟ୍ ଚାଲିବା କିମ୍ବା ବ୍ୟାୟାମ କରନ୍ତୁ। ନିୟମିତ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ଖାଦ୍ୟର ପରିମାଣ ଉପରେ ଧ୍ୟାନ ଦିଅନ୍ତୁ। ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ ଓ ଚାପ ନିୟନ୍ତ୍ରଣ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ବ୍ଲଡ୍ ସୁଗାର୍ ପରୀକ୍ଷା କରାନ୍ତୁ। ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ଉପଯୁକ୍ତ ଔଷଧ ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।