ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ମାମଲାରେ ଆସିଛି ବଡ଼ ଖବର। ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଯୁବତୀଙ୍କର ମୃତ୍ୟୁ ହୋଇଛି। ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯାଉଥିଲା। ତେବେ ନଭେମ୍ବର ୧୮ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି।

ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୌମ୍ୟରଞ୍ଜନ ପ୍ରଧାନ (୨୫)ଙ୍କୁ ଗିରଫ କରିଛି। ତାଙ୍କ ଘର ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗାଁରେ। ତାଙ୍କ ବାପାଙ୍କ ନାଁ ସୁରେଶ ଚନ୍ଦ୍ର ପ୍ରଧାନ। ଭାରତୀୟ ନ୍ୟାୟ ସଂହିତା(BNS) ଧାରା ୧୦୮ ଅନୁସାରେ ତାଙ୍କୁ ଗିରଫ କରାଯାଇ ଆଜି କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ମୃତ ଯୁବତୀ ହେଉଛନ୍ତି ଯାଜପୁର ଜିଲ୍ଲାର।

Also Read: ପ୍ରେମ ସମ୍ପର୍କକୁ ନେଇ ଭୟଙ୍କର ହତ୍ୟାକାଣ୍ଡ! ASIଙ୍କୁ ମାରି କାର୍ ଭିତରେ ଜାଳିଦେଲେ ମହିଳା ହେଡ୍ କନଷ୍ଟେବଳ, ୪ ଗିରଫ

ଅଭିଯୁକ୍ତ ସହ ଥିଲା ପ୍ରେମ ସଂପର୍କ

ପୁଲିସର ସୂଚନା ଅନୁସାରେ, ମାମଲାର ତଦନ୍ତ ବେଳେ ସିସିଟିଭି ଫୁଟେଜ୍, ସାକ୍ଷୀଙ୍କ ବୟାନ, ମୃତ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ବୈଷୟିକ ତଥ୍ୟ ଯାଞ୍ଚ କରାଯାଇଛି। ଏଥିରୁ ଯୁବତୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ପ୍ରାୟ ଏକ ବର୍ଷ ତଳେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

ଏହାପରେ ଯୁବତୀ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ଆଶୁତୋଷ ପ୍ରଧାନଙ୍କ ସହ ଘନିଷ୍ଠ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଭୁବନେଶ୍ୱରର ସାଇ ପାରାଡାଇଜ୍ କଲୋନୀରେ ଥିବା ଆଶୁତୋଷଙ୍କ ଭଡ଼ା ଘରେ ରହୁଥିଲେ। ଏହାକୁ ନେଇ ଅଭିଯୁକ୍ତ ଯୁବତୀଙ୍କୁ ବାରମ୍ବାର ଫୋନ୍ କରିବା ସହ ନିଜ ସମ୍ପର୍କୀୟ ଭାଇଙ୍କୁ ଛାଡ଼ିବା ଏବଂ ଘର ଖାଲି କରିବାକୁ ଚେତାବନୀ ଦେଉଥିଲେ।

Also Read: ବାପାଙ୍କୁ ମାଡ଼ ମାରିଲେ ଦୋକାନ କର୍ମଚାରୀ, ଶୁଣିଲାନି ପୁଲିସ; ପ୍ରତିଶୋଧ ନେଲେ ଦୁଇ ଝିଅ

ଗତ ନଭେମ୍ବର ୧୬ ତାରିଖରେ ଆଶୁତୋଷଙ୍କ ଦୁର୍ଘଟଣା ହୋଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ନଭେମ୍ବର ୧୭ ତାରିଖରେ ଯୁବତୀ ଆଶୁତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ଫୋନ୍ କରିଥିଲେ। କିନ୍ତୁ ଏହି ଫୋନ୍ କଲ୍ ସମୟରେ ଅଭିଯୁକ୍ତ ପୁଣି ତାଙ୍କୁ ଗାଳିଗୁଲଜ କରିବା ସହ ଘର ଛାଡ଼ିବାକୁ ଏବଂ ଆଶୁତୋଷଙ୍କଠାରୁ ଦୂରେଇ ରହିବାକୁ କହିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଭଉଣୀଙ୍କୁ କଲ୍ କରି କହିଲେ ଆତ୍ମହତ୍ୟା କରିବି

ପୁଲିସର ସୂଚନା ଅନୁସାରେ, ଏହାପରେ ମାନସିକ ଚାପରେ ଥିବା ଯୁବତୀ ନଭେମ୍ବର ୧୭ ତାରିଖ ରାତି ପ୍ରାୟ ୯ଟା ୩୫ ମିନିଟ୍ରେ ନିଜର ୧୮ ବର୍ଷୀୟା ସମ୍ପର୍କୀୟ ଭଉଣୀଙ୍କୁ ଫୋନ୍ କରିଥିଲେ। ସେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଯାଉଥିବା କଥା ଜଣାଇଥିଲେ। ଏହାର ପ୍ରାୟ ୬ ମିନିଟ୍ ପରେ, ରାତି ୯ଟା ୪୧ ମିନିଟ୍ରେ ସେ ନିଜ ଦେହରେ ନିଆଁ ଲଗାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

Also Read: ୧୧ ବର୍ଷ ତଳେ ଘର ପୋଡ଼ିଥିଲା, ଏବେ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା !

ଯୁବତୀଙ୍କ ମୃତ୍ୟୁ ପରେ ଭୁବନେଶ୍ୱର ଏମ୍ସରେ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ମୃତଦେହର ଚିହ୍ନଟ କରାଯାଇଥିଲା। ଏମ୍ସର ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସ କହିଛି ଯେ, ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ BNSର ଧାରା ୧୦୮ ଅନୁସାରେ ପ୍ରାଥମିକ ଭାବେ ଅପରାଧର ପ୍ରମାଣ ମିଳିଛି। ତେବେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।