ବେଜିଂ: ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ସମ୍ମିଳନୀ ଚାଲିଥିବା ବେଳେ ଶୋଇପଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୁରୁବାର ଚୀନର ସେନଜେନରେ ଆୟୋଜିତ ଏହି ସମ୍ମିଳନୀରେ ନେତାମାନଙ୍କ ସହ ବୈଠକରେ ବସିଥିବା ବେଳେ ଟ୍ରମ୍ପ ଆଖିବୁଜି ବସିଥିବା ଦେଖାଯାଇଥିଲା। ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଟିଂରେ ଟ୍ରମ୍ପ ଢୁଳେଇ ପଡ଼ିଥିବା କୁହାଯାଉଛି। ହେଲେ କ୍ୟାମେରା ଆଙ୍ଗଲ କିନ୍ତୁ ଏହାକୁ ସ୍ପଷ୍ଟ କରିପାରି ନାହିଁ। ତେଣୁ ସେ ଶୋଇପଡ଼ିଥିବା କହିବା ଠିକ୍ ହେବ ନାହିଁ ବୋଲି ୟୁଜର କହୁଛନ୍ତି।

ହଂକଂ-ଭିତ୍ତିକ ଗଣମାଧ୍ୟମ HK01ର ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ଏପେକ ଇକୋନୋମିକ ଲିଡର୍ସ ମିଟିଂ ହୋଇଥିଲା। ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧ୍ୟକ୍ଷତା କରିଥିଲେ। ବୈଠକର କାର୍ଯ୍ୟକାରୀତାକୁ ସମ୍ମିଳନୀର ମିଡିଆ ସେଣ୍ଟରରେ ଲାଇଭ ସ୍କ୍ରିନିଂ କରାଯାଇଥିଲା। ଯେତେବେଳେ କ୍ୟାମେରା ଟ୍ରମ୍ପଙ୍କ ଉପରେ ପଡ଼ିଥିଲା, ସେତେବେଳେ ଟ୍ରମ୍ପଙ୍କ ମୁଣ୍ଡ ସାମାନ୍ୟ ନଇଁବା ପରି ଥିଲା ଏବଂ ଆଖି ବୁଜି ହେଲା ଭଲି ଦେଖା ଦେଖାଯାଉଥିଲା। ଏହି ସମୟରେ ତାଙ୍କ ସାମ୍ନାରେ ଏକ ମାଇକ୍ରୋଫନ ଏବଂ ମିଟିଂ ଡକ୍ୟୁମେଣ୍ଟ ଥୁଆ ହୋଇଥିଲା।

Also Read- ‘ବିନା କୌଣସି ଦ୍ୱିଧାରେ ଲେଖିପାରିବ’, ଶିଳ୍ପ ସଂସ୍କାର ପାଇଁ India Incକୁ ପରାମର୍ଶ ମାଗିଲେ ପିଏମ୍ ମୋଦୀ

ଏହି ଦୃଶ୍ୟ ସେଠାରେ ଉପସ୍ଥିତି କିଛି ସାମ୍ବାଦିକଙ୍କ ଆଖି ଆଗରେ ପଡ଼ିବା ପରେ ସେମାନେ ତୁରନ୍ତ ନିଜ ନିଜର ମୋବାଇଲ ଫୋନ କାଢ଼ି ରେକର୍ଡ କରିବା ଆରମ୍ଭ କରିଥିଲେ। କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁସୋମ ପ୍ରେସ ଅଫିସ ପକ୍ଷରୁ ମଧ୍ୟ ଏହି ଫୁଟେଜକୁ ଏକ୍ସରେ ଶେୟାର କରି ଟ୍ରମ୍ପଙ୍କୁ ସମାଲୋଚନା କରାଯାଇଥିଲା। ସାରା ଦୁନିଆରେ ଟ୍ରମ୍ପଙ୍କ ଉପରେ ହସୁଛି ବୋଲି ପୋଷ୍ଟରେ କୁହାଯାଇଥିଲା।

ପ୍ରଥମେ ଏହି ଭିଡିଓକୁ ରିପବ୍ଲିକାନ ଏଗେନଷ୍ଟ ଟ୍ରମ୍ପ ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏପେକ ସମ୍ମିଳନୀରେ ଟ୍ରମ୍ପ ଶୋଇପଡ଼ୁଛନ୍ତି ବୋଲି ପୋଷ୍ଟରେ କୁହାଯାଇଥିଲା। ବିବିସି ସମେତ ଏକାଧିକ ମିଡିଆ ହାଉସ୍ ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରି ଖବର ପ୍ରକାଶ କରିଛନ୍ତି।