ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀ ସହରରେ ଦୁଇ ଭଉଣୀ ରାସ୍ତାକଡ଼ରେ ଥିବା ଏକ ଖାଦ୍ୟ ଦୋକାନରେ ଭଙ୍ଗାରୁଜା କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଜରଙ୍କ ଦାବି ଅନୁସାରେ,  ସେହି ଦୋକାନର କର୍ମଚାରୀମାନେ ଦୁଇ ଯୁବତୀଙ୍କ ବାପାଙ୍କୁ ମାଡ଼ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଦୁଇ ଭଉଣୀ ଦୋକାନରେ ଭଙ୍ଗାରୁଜା କରିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଦୁଇ ଜଣ ଯୁବତୀ ଏକ ସ୍କୁଟିରେ ଆସି ଦୋସା ଦୋକାନ ସାମ୍ନାରେ ପହଞ୍ଚିଥିଲେ । ପ୍ରଥମେ ଦୋକାନ ଓ ଆଖପାଖ ଅଞ୍ଚଳର ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ହଠାତ୍ ଦୋକାନ ଆଡ଼କୁ ମାଡ଼ିଯାଇ ସେଠାରେ ଥିବା ଏକ ଆଣ ଭର୍ତ୍ତି ପାତ୍ରକୁ ଓଲଟାଇ ଦେଇଥିଲେ। ଏହା ସହ ସେ ଦୋକାନର ଜଣେ କର୍ମଚାରୀଙ୍କ ଉପରକୁ ପାଣି ଫିଙ୍ଗିଥିଲେ ।  ମୋ ବାପାଙ୍କୁ ମାରିଛ, ବେପାର କରୁଛ, ଦୋକାନକୁ ବନ୍ଦ କର ବୋଲି ଚିତ୍କାର କରିଥିଲେ। ଏହି ଘଟଣା ଦେଖି ସେଠାରେ ଛିଡ଼ା ହୋଇଥିବା ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିଲେ । 

ଜଣେ ବ୍ୟକ୍ତି ଉଭୟଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ମହିଳା ଯୁବତୀଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ, ‘ଏଠାରେ ଛୋଟ ପିଲାମାନେ ଅଛନ୍ତି, ଟିକେ ଧ୍ୟାନ ଦିଅ, କାହିଁକି ହଙ୍ଗାମା କରୁଛ ?’ କିନ୍ତୁ ଯୁବତୀ ଜଣକ ତାଙ୍କୁ ଚୁପ୍ ରୁହ ବୋଲି କହିଥିଲେ। ପରିସ୍ଥିତି ଅଧିକ ବିଗିଡ଼ିବାରୁ ସ୍ଥାନୀୟ ଲୋକମାନେ ହସ୍ତକ୍ଷେପ କରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଭିଡିଓ ରେକର୍ଡିଂ କରୁଥିବା ଅନ୍ୟ ଭଉଣୀଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । 

ସେପଟେ ଦୋକାନର ମାଲିକ ଏହି ଘଟଣା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୁଲିସ ମାମଲା ରୁଜୁ କରିଥିବା ବେଳେ, ପୂରା ଘଟଣା ସଂପର୍କରେ ଜାଣିବାକୁ ତଦନ୍ତ ଚଳାଇଛି । ଏସିପି ଗୌରବ କୁମାର ମଧ୍ୟ ମାମଲାରେ ତତ୍ପରତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ, ଯଦି ଯୁବତୀମାନଙ୍କ ଅଭିଯୋଗର ସତ୍ୟତା ଥାଏ, ତେବେ ମାମଲା ଆହୁରି ବଢ଼ିପାରେ । ସେମାନଙ୍କ ବାପାଙ୍କୁ ଦୋକାନର କର୍ମଚାରୀ କାହିଁକି ମାଡ଼ ମାରିଲେ, ତାକୁ ନେଇ ପୁଲିସ ତଦନ୍ତ କରିବ । ଯଦିଓ ଏହି ଘଟଣାରେ ପୁଲିସର ନିସ୍କ୍ରିୟତା ଥିବା ନେଇ ଅଭିଯୋଗ ହୋଇଛି, କିନ୍ତୁ ଦୁଇ ଯୁବତୀ ଆଇନକୁ ହାତକୁ ନେବାର ନଥିଲା ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।