ନୂଆଦିଲ୍ଲୀ: ଚୀନର ଶେନଜେନରେ ଚାଲିଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ (APEC) ସମ୍ମିଳନୀରେ ଐତିହାସିକ ତ୍ରିପାକ୍ଷିକ ସମ୍ମିଳନୀ ହୋଇଛି । ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏହି ରୁଦ୍ଧଦ୍ୱାର ବୈଠକ କାଇଲିନ୍ ଭିଲାରେ ଅନୁଷ୍ଠିତ ହୋଇଥିଲା । ଏହା ପ୍ରାୟ ଏକ ଘଣ୍ଟା ୨୦ ମିନିଟ୍ ଧରି ଚାଲିଥିଲା । ବୈଠକ ଆରମ୍ଭରେ ତିନି ନେତା ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ୟୁକ୍ରେନରେ ଯୁଦ୍ଧ ସମେତ ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ । ତେବେ ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା, କେଉଁ ସବୁ ପ୍ରସଙ୍ଗ ଉପରେ ସହମତି ଏବଂ ଅସହମତି ପ୍ରକାଶ ପାଇଛି ତାହାକୁ ନେଇ ଉତ୍କଣ୍ଠା ରହିଥିଲା ।

ଶେନଜେନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ପରେ ଚୀନ୍ ସରକାରୀ ଗଣମାଧ୍ୟମ ଏକ ଚାରି-ସୂତ୍ରୀ "ଶାନ୍ତି ଘୋଷଣାନାମା" ଜାରି କରିଛି । ଘୋଷଣାପତ୍ରରେ ବିଶ୍ୱ ସୁରକ୍ଷା, ଜାତିସଂଘ ସଂସ୍କାର, ଶକ୍ତି ଯୋଗାଣ ଏବଂ ପରମାଣୁ ବିପଦ ହ୍ରାସ ଉପରେ ପ୍ରତିଶ୍ରୁତିବଦ୍ଧତା ନେଇ ଉଲ୍ଲେଖ କରାଯାଇଛି ।

ଜାତିସଂଘରେ ସଂସ୍କାର: ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ପ୍ରଭାବଶାଳୀ ପ୍ରତିକ୍ରିୟା ଦେବା ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଚୀନ୍, ରୁଷ ଏବଂ ଆମେରିକା ଜାତିସଂଘ ସଂସ୍କାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଶକ୍ତି ସୁରକ୍ଷା: ଏହି ତିନି ଦେଶ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦର ଉତ୍ପାଦନ ଏବଂ ଯୋଗାଣ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ଏବଂ ସ୍ଥିର ଶକ୍ତି ଯୋଗାଣର ଗୁରୁତ୍ୱକୁ ଆଲୋକପାତ କରିଛନ୍ତି ।

ଅନ୍ତର୍ଜାତୀୟ ଆଇନ: ତିନି ରାଷ୍ଟ୍ରାଧ୍ୟକ୍ଷ ରାଷ୍ଟ୍ରର ସମ୍ମତି ଏବଂ ଅଧିକାରୀଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଏବଂ ସମାନ ସଂସ୍ଥାଗୁଡ଼ିକ ସେମାନଙ୍କ ଅଧିକାର କ୍ଷେତ୍ରର ଅପବ୍ୟବହାର କରିବା ଉଚିତ୍ ନୁହେଁ ।

ପରମାଣୁ ବିପଦ: ତିନି ନେତା କହିଛନ୍ତି ଯେ ପରମାଣୁ ଯୁଦ୍ଧ ଜିତିହେବ ନାହିଁ ଏବଂ କେବେବି ଲଢ଼ିବା ଠିକ୍ ନୁହେଁ । ସେମାନେ ପରମାଣୁ ବିପଦ ହ୍ରାସ ଏବଂ ପରମାଣୁ ପ୍ରସାର ରୋକିବା ପାଇଁ ଆଲୋଚନାରେ ସାମିଲ ହେବାକୁ ମଧ୍ୟ ରାଜି ହୋଇଛନ୍ତି ।