ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁ । ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତିକୁ ଖୁବ୍ ସମାଲୋଚନା କରାଯାଉଛି । ଏହାରି ଭିତରେ ଭାରତୀୟ ଟିମର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ସ୍ପଷ୍ଟୀକରଣ ଦେଇଛନ୍ତି । ବ୍ୟାଟିଂ କୋଚ୍ ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତି ପକ୍ଷରେ ବୟାନ ଦେଇ କହିଛନ୍ତି ଯେ ଟିମର ଚୟନ କେବଳ ପ୍ରଥମ ଦିନକୁ ଧ୍ୟାନରେ ରଖି କରାଯାଏ ନାହିଁ, ବରଂ ପାଞ୍ଚ ଦିନର ଆବଶ୍ୟକତା ଅନୁସାରେ କରାଯାଏ ।

ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଚାରି ଦ୍ରୁତ ବୋଲରଙ୍କ ଆକ୍ରମଣରେ ସିରାଜଙ୍କ ସ୍ଥାନରେ ଅଂଶୁଲ କମ୍ୱୋଜଙ୍କୁ ସାମିଲ କରାଯାଇଛି । ଅନ୍ୟ ଦୁଇ ବୋଲରଙ୍କ ମଧ୍ୟରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆକାଶ ଦୀପ ସାମିଲ ଅଛନ୍ତି । ସୀତାଂଶୁ କୋଟାକ୍ କହିଛନ୍ତି, "ସିରାଜଙ୍କ ସହିତ କୌଣସି ସମସ୍ୟା ନାହିଁ । ଦଳ ଚୟନ କରିବା ସମୟରେ ଆମେ ଅନୁଭବ କରିଥିଲୁ ଯେ ଏହା ସର୍ବୋତ୍ତମ ଏକାଦଶ । ମୁଁ ଭାବୁ ନାହିଁ ଯେ ସିରାଜଙ୍କୁ ବାହାରେ ରଖିବା ଏକ ଭୁଲ ନିଷ୍ପତ୍ତି ଥିଲା । ଏହା କେବଳ ପ୍ରଥମ ଦିନ । ଆମେ କେବଳ ପ୍ରଥମ ଦିନ ପାଇଁ ନୁହେଁ, ବରଂ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଦିନକୁ ମନରେ ରଖି ଦଳ ଚୟନ କରୁ ।"

ୱାଶିଂଟନ ସୁନ୍ଦରଙ୍କୁ ପ୍ରାଥମିକତା ଦେବା ନିଷ୍ପତ୍ତି ବିଷୟରେ କୋଟାକ୍ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ଟପ୍ ଅର୍ଡରରେ ଚାରି ଜଣ ବାମହାତୀ ବ୍ୟାଟର ଥିବାରୁ ଟିମ୍ ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ନେଇଛି । "ଆମେ ୱାଶିଂଟନକୁ ପସନ୍ଦ କରିଥିଲୁ କାରଣ ସେମାନଙ୍କର ଟପ୍ ଅର୍ଡରରେ ଚାରି ଜଣ ବାମହାତୀ ବ୍ୟାଟର ଥିଲେ । ଏହି ମ୍ୟାଚ୍ ପାଇଁ ଏହା ସର୍ବୋତ୍ତମ ସମ୍ଭାବ୍ୟ ବୋଲିଂ ଆକ୍ରମଣ ।"

ବୁମରାଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ଆକ୍ରମଣ ୨୩ ଓଭରରେ ୬୦ ରନରେ ନ୍ୟୁଜିଲାଣ୍ଡର ୪ ୱିକେଟ୍ ନେବାରେ ସକ୍ଷମ ହୋଇଥିଲା । କିନ୍ତୁ ୩୦ ଓଭର ପରେ କୁକାବୁରା ବଲ୍ ତାର ଚମକ ହରାଇଥିଲା । ହେନରୀ ନିକୋଲ୍ସ (୧୧୩ ଅପରାଜିତ) ଏବଂ ଗ୍ଲେନ୍ ଫିଲିପ୍ସ (୯୪ ଅପରାଜିତ) ଚମତ୍କାର ବ୍ୟାଟିଂ କରି ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ୨୪୩ ରନ କରିବାରେ ସକ୍ଷମ କରିଥିଲେ ।