ଓ୍ଵେଲିଂଟନ: ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଉଛି। ଦମଦାର ଆରମ୍ଭ କରିଥିଲା ଭାରତ। ୭୦ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା କିଓ୍ଵି ଦଳ ୧୫୦ ରନ ଭିତରେ ସୀମିତ ରହିବ। ହେଲେ ହେନରି ନିକୋଲାସ ଓ ଗ୍ଲେନ ଫିଲିପ୍ସ ଦମଦାର ବ୍ୟାଟିଂ କରି ଘରୋଇ ଦଳର ସ୍ଥିତିକୁ ମଜବୁତ କରିଛନ୍ତି। ଫଳରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୨୪୩ ରନ କରିଛି। ନିକୋଲସ ୧୧୩ ରନ ଓ ଫିଲିପ୍ସ ୯୪ ରନ କରି କ୍ରିଜରେ ଅଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ଉଲ୍ଲେଖନୀୟ ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ 

ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଯଶପ୍ରୀତ ବୁମରା ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ବ୍ୟାକଫୁଟରେ ରଖିଥିଲେ। ୧୨ ରନରେ ଦୁଇ ଓପନର ଟମ୍ ଲାଥମ(୦) ଓ ଡେଭନ କନଓ୍ଵେ(୪ ରନ) ଯଥାକ୍ରମେ ବୁମରା ଓ କମ୍ବୋଜଙ୍କ ଶିକାର ହୋଇଥିଲେ। ରଚିନ ରବିନ୍ଦ୍ରନ ୧୫ ରନ କରି ଆକାଶ ଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ବୁମରା ଡାରିଲ ମିଚେଲ୍(୧ ରନ) ଓ ଟମ ବ୍ଲଣ୍ଡେଲ(୫ ରନ)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ।

Also Read: IPL ମିନି ନିଲାମି ପୂର୍ବରୁ କେଉଁ ଦଳର ଖାତାରେ କେତେ ଟଙ୍କା ? କିଏ ରହିଲେ ଏବଂ କିଏ ପଡିଲେ ବାଦ୍ ?

ସଙ୍କଟରେ ପଡ଼ିଥିଲା ନ୍ୟୁଜିଲାଣ୍ଡ

ଏହିପରି ୭୦ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ନ୍ୟୁଜିଲାଣ୍ଡ। ଲାଗୁଥିଲା ଭାରତ ଶୀଘ୍ର କିଓ୍ଵିର ପ୍ରଥମ ଇନିଂସର ଅନ୍ତ ଘଟାଇବ। ହେଲେ ତୃତୀୟ ନମ୍ବରରେ ବ୍ୟାଟିଂ କରିଥିବା ହେନରି ନିକୋଲାସ ଏବଂ ଟି-୨୦ ଓ ଦିନିକିଆ ସିରିଜରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଗ୍ଲେନ ଫିଲିପ୍ସ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ସତର୍କତାର ସହ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦେଖୁ ଦେଖୁ ଷଷ୍ଠ ଓ୍ଵିକେଟରେ ଦୁଇ ବ୍ୟାଟର ଶତକୀୟ ଭାଗିଦାରୀ ଯୋଡ଼ିବା ସହ ଏହା ଏବେ ଦ୍ଵିତୀୟ ଶତକ ଆଡ଼କୁ ଅଗ୍ରସର ହେଉଛି।

​​​​​​​

ନୟାନ୍ତ କଲେ ନିକୋଲାସ ଓ ଫିଲିପ୍ସ

ଏହା ମଧ୍ୟରେ ହେନରୀ ନିକୋଲାସ ଦମଦାର ବ୍ୟାଟିଂ କରି ନିଜର ଟେଷ୍ଟ କ୍ୟାରିୟରରେ ୧୨ତମ ଶତକ ହାସଲ କରିଛନ୍ତି। ଫିଲିପ୍ସ ମଧ୍ୟ ଟେଷ୍ଟରେ ନିଜର ଦମ୍ଭ ଦେଖାଇ ୯୪ ରନ କରି ଶତକଠୁ ମାତ୍ର ୬ ରନ ଦୂରରେ ରହିଛନ୍ତି। ପ୍ରଥମ ସେସନ ଭାରତୀୟ ଟିମ୍ ନାଁରେ  ରହିଥିବା ବେଳେ ବାକି ଦୁଇଟି ସେସନ ନିକୋଲାସ ଓ ଫିଲିପ୍ସଙ୍କ ନାଁରେ ରହିଛି। ଉଭୟ ଭାରତୀୟ ବୋଲରଙ୍କୁ ନୟାନ୍ତ କରି ଏ ପର୍ଯ୍ୟନ୍ତ ୧୭୩ ରନ ଯୋଡ଼ି ସାରିଛନ୍ତି।

ଶେଷରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ ୫ ଓ୍ଵିକେଟ୍ ହରାଇ ୨୪୩ ରନ କରି ନିଜର ସ୍ଥିତି ମଜବୁତ କରି ପାରିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫୨ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅଂଶୁଲ କମ୍ବୋଜ ଓ ଆକାଶ ଦୀପ ପ୍ରତ୍ୟେକଙ୍କୁି ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।