ଭୁବନେଶ୍ବର ୧୯।୧୧: ବଢୁଛି ଭୀଷଣ ବାତ୍ୟା ‘ଅକଭାନ୍’ର ଗତିର ବେଗ । ବାତ୍ୟା ‘ଅକଭାନ୍’ ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପଟ୍ଟନମ୍ ଠାରୁ ୪୦୦ କି.ମି., ଗୋପାଳପୁର ଠାରୁ ୪୯୦ କି.ମି. ଏବଂ ପୁରୀ ଠାରୁ ୫୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ନରସାପୁରରୁ ପୁରୀ ମଧ୍ୟରେ, ବିଶେଷକରି ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପବନ ଓ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୨୦ ସେଣ୍ଟିମିଟର କିମ୍ବା ତା'ଠାରୁ ଅଧିକ ବର୍ଷା ହୋଇପାରେ । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଏଠାରେ ୭ରୁ ୧୨ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି ।

Also Read:- ଆକ୍ସନ୍ ମୋଡ୍‌ରେ ଜଳ ସମ୍ପଦ ବିଭାଗ, ଜଳଭଣ୍ଡାର ଓ ନଦୀବନ୍ଧରେ ସାରାରାତି ଜଗିଛନ୍ତି କର୍ମଚାରୀ

ଶୁକ୍ରବାର ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଆଗାମୀ ଦୁଇ ଦିନ ଧରି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ନଭେମ୍ବର ୨୧ ତାରିଖରୁ ବର୍ଷାର ପରିମାଣ କମିବ ।

ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ପାଇଁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି । ଏହି ସମୟ ମଧ୍ୟରେ ଓଡ଼ିଶା ଉପକୂଳ ଦେଇ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ବନ୍ଦର ପାଇଁ ସିଗନାଲ୍ ନମ୍ବର-୩ ଜାରି କରାଯାଇଛି ।

Watch Video: