ନୂଆଦିଲ୍ଲୀ: ଚୀନ୍‌ର ସେନଜେନ ସହରରେ ଐତିହାସିକ ମହାମିଳନ ଦେଖିବାକୁ ମିଳିଛି । ୩ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଛି । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଗୁରୁବାର ଏହି ବୈଠକ ଅନୁଷ୍ଠିତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସେଥିରେ ବିଶ୍ୱ ସୁରକ୍ଷା, ରଣନୈତିକ ସ୍ଥିରତା ଏବଂ ବିଶ୍ୱରେ ଚାଲିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଘର୍ଷ ଉପରେ ମୁଖ୍ୟତଃ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 

ନିଜର ସମ୍ବୋଧନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଚୀନରେ ଏହି ତ୍ରିପାକ୍ଷିକ ବୈଠକ ଆୟୋଜନ କରି ସେ, ସି ଜିନପିଙ୍ଗ ଏବଂ ପୁଟିନ ପ୍ରକୃତରେ ଏକ ନୂଆ ଇତିହାସ ସୃଷ୍ଟି କରୁଛନ୍ତି। ଏହା ପୂର୍ବରୁ ବୁଧବାର ଦିନ ଟ୍ରମ୍ପ ସେନଜେନରେ ପହଞ୍ଚିବା ପରେ ବିମାନବନ୍ଦରରେ ସି ଜିନପିଙ୍ଗ ତାଙ୍କୁ ନିଜେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହା ଚୀନର ଦୀର୍ଘଦିନର କୂଟନୈତିକ ପରମ୍ପରାଠାରୁ ଭିନ୍ନ ବୋଲି ବିବେଚନା କରାଯାଉଛି। ଫିଲିପାଇନ୍ସରେ ଅନୁଷ୍ଠିତ ୨୩ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ପରେ ଏବେ ସମଗ୍ର ବିଶ୍ୱର ନଜର ଚୀନରେ ଆୟୋଜିତ APEC ସମ୍ମିଳନୀ ଉପରେ ରହିଛି। 

ଏହି ସମ୍ମିଳନୀରେ ବିଶ୍ୱ ନେତାମାନେ ପ୍ରମୁଖ ଭୂ-ରାଜନୈତିକ ଏବଂ ଅର୍ଥନୈତିକ ଆହ୍ୱାନ, ବିଶେଷକରି ଚାଲିଥିବା ଆମେରିକା-ଇରାନ ସଂଘର୍ଷର ବ୍ୟାପକ ଅର୍ଥନୈତିକ ପ୍ରଭାବ ଏବଂ ଦକ୍ଷିଣ ଚୀନ୍ ସାଗରର ସୀମା ବିବାଦ ଉପରେ ବିଚାରବିମର୍ଶ କରିବେ। ଚଳିତ ସମ୍ମିଳନୀରେ ଟ୍ରମ୍ପ, ସି ଏବଂ ପୁଟିନଙ୍କ ବ୍ୟତୀତ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାମ, ପପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ, ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଏବଂ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ଭଳି ପ୍ରମୁଖ ବିଶ୍ୱ ନେତାମାନେ ଅଂଶଗ୍ରହଣ କରିଛନ୍ତି । 

ତ୍ରିପାକ୍ଷିକ ବୈଠକ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଉଭୟ ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ସହ ପୃଥକ ଭାବରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗୁରୁବାର ଦିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ, ବେଜିଂ ଏବଂ ୱାଶିଂଟନ ମଧ୍ୟରେ ସମ୍ପର୍କ ସ୍ଥିର ରହିବା ସହ ଏଥିରେ ଉନ୍ନତି ଆସିଛି । ଅନ୍ୟପଟେ, ଟ୍ରମ୍ପ ଚୀନ୍ ପକ୍ଷରୁ କରାଯାଇଥିବା ଭବ୍ୟ ଆୟୋଜନକୁ ପ୍ରଶଂସା କରି ଏହାକୁ ଏକ ବଡ଼ ସଫଳତା ବୋଲି ଅଭିହିତ କରିଛନ୍ତି। ଏହା ସହିତ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି, ଯେଉଁଥିରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ପ୍ରମୁଖ ଭାବରେ ସ୍ଥାନ ପାଇଥିଲା। 

ଦକ୍ଷିଣ ଚୀନର ସେନଜେନଠାରେ ଅନୁଷ୍ଠିତ ହେଉଥିବା ଏହି ତ୍ରିପାକ୍ଷିକ ବୈଠକର କାର୍ଯ୍ୟସୂଚୀ ଉପରେ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ନଜର ରଖିଛି। ବେଜିଂ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ଶାନ୍ତି ରକ୍ଷା କରିବା ଏବଂ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରଣନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ତିନି ନେତା ଗଭୀର ବିଚାରବିମର୍ଶ କରିବେ। ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ସେ ଏହି ବୈଠକରେ ପରମାଣୁ ନିରସ୍ତ୍ରୀକରଣ ସମେତ ଇରାନ ଏବଂ ୟୁକ୍ରେନରେ ଚାଲିଥିବା ସଂଘର୍ଷ ପ୍ରସଙ୍ଗ ଉଠାଇବେ। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ବା APEC ହେଉଛି ୧୯୮୯ ମସିହାରେ ପ୍ରତିଷ୍ଠିତ ଏକ ଅନୌପଚାରିକ ମଞ୍ଚ । ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି, ମୁକ୍ତ ବାଣିଜ୍ୟ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।