ଦାରିଙ୍ଗବାଡ଼ି: ‘ଅକଭାନ’ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦ୍ର ଗ୍ରାମବାସୀ ଭୟଭୀତ ହୋଇ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହିଛନ୍ତି। ଗ୍ରାମବାସୀମାନେ ତାମାଙ୍ଗିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି।

ଗ୍ରାମବାସୀ ଅଶୋକ ବଳିଆରସିଂଙ୍କ ସୂଚନା ଅନୁଯାୟୀ, ବାତ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟର ବାରଣ୍ଡା ଓ ବିଭିନ୍ନ କୋଠରୀରେ ମହିଳା, ପୁରୁଷ ଓ ଶିଶୁମାନେ ଆଶ୍ରୟ ନେଇଥିବା ବେଳେ ନିକଟସ୍ଥ ରୋଷେଇ ସେଡ୍‌ରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଚାଲିଛି।

ଅନ୍ୟପକ୍ଷରେ, କୁମ୍ଭାରୀପଦ୍ର ଗ୍ରାମବାସୀଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉଠିଛି। ଅଶୋକ ବଳିଆରସିଂଙ୍କ କହିବା ଅନୁଯାୟୀ, ୨୦୧୯ ମସିହାରୁ ଗ୍ରାମର ଶାହିମୁଣ୍ଡ ଅଞ୍ଚଳରେ ଭୂସ୍ଖଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଶାସନ ପକ୍ଷରୁ ବିସ୍ଥାପନ ପାଇଁ କିଛି ସ୍ଥାନ ଚିହ୍ନଟ କରାଯାଇଥିଲେ ମଧ୍ୟ ତାହା ଏଯାବତ୍ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।

Also Read: ବାତ୍ୟାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା, ଗୁଜବଠାରୁ ଦୂରେଇ ରହିବାକୁ ଅପିଲ୍​​​​​​​

ବାରମ୍ବାର ପ୍ରାକୃତିକ ବିପଦର ସମ୍ମୁଖୀନ ହେବା ସହ ଘରଦ୍ୱାର ଛାଡ଼ି ଅସ୍ଥାୟୀ ଆଶ୍ରୟସ୍ଥଳକୁ ଆସିବାକୁ ପଡ଼ୁଥିବାରୁ ଗ୍ରାମବାସୀ ଅନେକ ସମସ୍ୟା ଭୋଗୁଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ପୁନଃ ବିଚାର କରି କୁମ୍ଭାରୀପଦ୍ର ଗ୍ରାମବାସୀଙ୍କ ସୁରକ୍ଷା ଓ ସ୍ଥାୟୀ ପୁନର୍ବାସ ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ତେବେ ବର୍ତ୍ତମାନର ବିପଦ ସମୟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଥିବାରୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି। ତୁରନ୍ତ ରିଲିଫ୍ ବ୍ୟବସ୍ଥା ସହ ଦୀର୍ଘକାଳୀନ ସୁରକ୍ଷା ଓ ପୁନର୍ବାସ ଯୋଜନା କାର୍ଯ୍ୟକାରୀ ହେବା ଏବେ ଗ୍ରାମବାସୀଙ୍କ ମୁଖ୍ୟ ଆଶା ରହିଛି।