ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡି ଓ ଥଣ୍ଡାପଡିବା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ତାଜା ଅପଡେଟ୍ ଅନୁସାରେ ଦେଶର ପାଣିପାଗ ଏବେ ଦୁଇଟି ଅଲଗା ଅଲଗା ଭାଗରେ ବାଣ୍ଟି ହୋଇ ରହିଛି। ଗୋଟିଏ ପଟେ ପାର୍ବତ୍ୟାଞ୍ଚଳରେ ପାରଦ ଶୂନ୍ୟରୁ ତଳକୁ ଖସୁଥିବା ବେଳେ ସମତଳ ଅଞ୍ଚଳରେ ଥଣ୍ଡା ପଡିଲାଣି। ଅନ୍ୟପଟେ ଉପକୂଳ ରାଜ୍ୟମାନଙ୍କ ଉପରେ ଘୂର୍ଣ୍ଣିବାତ୍ୟାର ଭୟ ଲାଗି ରହିଛି।

କାଶ୍ମୀରରେ ଖସିଲା ପାରଦ
ଉତ୍ତରଭାରତୀୟ ପାର୍ବତ୍ୟାଞ୍ଚଳରେ ହୀମପାତ ଓ ଥଣ୍ଡା ବାୟୁ ପ୍ରବାହ ଯୋଗୁ ତାପମାତ୍ରାରେ ଦ୍ରୁତ ହ୍ରାସ ହୋଇଛି। କାଶ୍ମୀର ଉପତ୍ୟାକାର ଅନେକ ଅଞ୍ଚଳରେ ତାପମାତ୍ରା ଏବେ ଶୂନ ଡିଗ୍ରି ସେଲସିୟସରୁ ତଳକୁ ଖସିଛି। ସେହିପରି ଦକ୍ଷିଣ ଭାରତର ହିଲଷ୍ଟେସନ ଉଟିରେ ଚଳିତ ଋତୁର ପ୍ରଥମ ତୁଷାରପାତ ହୋଇଛି।

ଦିଲ୍ଲୀ ଏନସିଆରର ପାଗ
ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ସକାଳ ଓ ରାତି ସମୟର ପାରଦ ଖସିଛି। ୧୯ ନଭେମ୍ବର ଗୁରୁବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସିୟସ ଆଖପାଖରେ ରହିବ ବୋଲି ଅନୁମାନ କରାଯାଉଛି। ତାପମାତ୍ରା ହ୍ରାସ ଯୋଗୁ ଉତ୍ତର ଭାରତୀୟ ସମତଳ ରାଜ୍ୟରେ କୁହୁଡି ଚାଦର ବିଛେଇ ହେବାରେ ଲାଗିଛି। ସକାଳେ କୁହୁଡି ଯୋଗୁ ଦୃଶ୍ୟତା ହ୍ରାସ କାରଣରୁ ସଡ଼କ ଓ ରେଳ ଯାତାୟାତ ପ୍ରଭାବିତ ହୋଇପାରେ। ଏଣୁ ବାହନ ଚାଳକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଘୂର୍ଣ୍ଣିବାତ୍ୟା ‘ଅକୱାନ’ ଓ ବର୍ଷା ଚେତାବନୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅକୱାନ’ ଏବେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଆଗକୁ ବଢୁଛି। ଆଇଏମଡି ଆକଳନ ଅନୁସାରେ ଏହି ସାମୁଦ୍ରିକ ପ୍ରଣାଳୀଟି ୨୦ ନଭେମ୍ବର ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡିଶା ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବ। ଏହି ସମୟରେ ପବନର ବେଗର ୯୦ରୁ ୧୧୦ କିଲୋମିଟର ମଧ୍ୟରେ ରହିପାରେ ଓ ସାରା ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି।