ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଛି । ଏହାର ପ୍ରଭାବ ମଧ୍ୟ ଖେଳ ପଡ଼ିଆରେ ଅନେକ ସମୟରେ ଦେଖିବାକୁ ମିଳେ । ବିଶେଷ କରି କ୍ରିକେଟ ମୈଦାନରେ ଉଭୟ ଦେଶର ଖେଳାଳି କରମର୍ଦ୍ଦନ କରୁନାହାନ୍ତି । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଫୁଟବଲ୍‌ ମ୍ୟାଚ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦକ୍ଷିଣ ଏସୀୟ ଫୁଟ୍‌ବଲ୍‌ ଫେଡେରେସନ୍‌ (SAFF) ଚାମ୍ପିଅନସିପ୍ ଫାଇନାଲରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା । ଏହା ପରେ ପାକିସ୍ତାନୀ ଖେଳାଳିମାନେ ଧାଡ଼ିରେ ଛିଡ଼ା ହୋଇ ବିଜୟୀ ଭାରତୀୟ ଦଳକୁ ‘ଗାର୍ଡ ଅଫ୍ ଅନର୍’ ଦେଇ ସମ୍ମାନିତ କରିଛନ୍ତି। 

ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାପୂର୍ଣ୍ଣ କ୍ରୀଡ଼ା ସମ୍ପର୍କ ଭିତରେ ଏହି ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ୨୦୨୫ ଏସିଆ କପ୍ ପରଠାରୁ ଭାରତ-ପାକିସ୍ତାନ କ୍ରିକେଟ୍ ମୁକାବିଲାରେ ଉଭୟ ଦଳର ଖେଳାଳି ପରଷ୍ପର ସହ କରମର୍ଦ୍ଦନ କରୁନାହାନ୍ତି । ଏହା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ୨୦୨୫ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସାମରିକ ଉତ୍ତେଜନା ପରେ ଏହି ଧାରା ଆରମ୍ଭ ହୋଇଥିଲା। ୨୦୨୫ ଏସିଆ କପ୍, ଅଣ୍ଡର-୧୯ ଏସିଆ କପ୍, ମହିଳା ବିଶ୍ୱକପ୍ ଏବଂ ୨୦୨୬ ମହିଳା ଏସିଆ କପ୍‌ରେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ଟସ୍ ସମୟରେ କିମ୍ବା ମ୍ୟାଚ୍ ପରେ ପରଷ୍ପରକୁ ଅଭିବାଦନ ଜଣାଇ ନଥିଲେ। 

ଗତ ମାସରେ ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟ୍ ଟିମ୍‌ ଫାଇନାଲ୍ ଟସ୍ ସମୟରେ ମଧ୍ୟ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଏବଂ ପାକିସ୍ତାନ ଅଧିନାୟକ ସାହିବଜାଦା ଫରହାନ ହାତ ମିଳାଇ ନଥିଲେ। କିନ୍ତୁ ଫୁଟବଲ୍ ପଡ଼ିଆରେ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ନଭେମ୍ବର ୫ ତାରିଖରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଭାରତୀୟ ମୁଖ୍ୟ କୋଚ୍ ନୌଶାଦ ମୁସା ସ୍ପଷ୍ଟ କରିଥିଲେ ଯେ, ତାଙ୍କ ଖେଳାଳିମାନେ ପାରମ୍ପରିକ ଅଭିବାଦନ ପ୍ରଥା ପାଳନ କରିବେ। ଭାରତୀୟ ଅଧିନାୟକ ବିଜୟ ବର୍ଗୀସ ପାକିସ୍ତାନ ଅଧିନାୟକ ୟୁସୁଫ ଇଜାଜ ଭଟ୍ଟଙ୍କ ସହ ହାତ ମିଳାଇଥିଲେ।

ଫାଇନାଲ୍ ମ୍ୟାଚ୍ ପରେ ପଦକ ବିତରଣ ଉତ୍ସବରେ ମଧ୍ୟ ଉଭୟ ଦଳର ଖେଳାଳିମାନେ ପରଷ୍ପର ସହ ହାତ ମିଳାଇବା ସହ ‘ହାଇ-ଫାଇଭ୍’ ଦେଇ ଖେଳୁଆଡ଼ ମନୋଭାବର ପରିଚୟ ଦେଇଥିଲେ। ଏହା ପୂର୍ବରୁ ଏସୀୟ କ୍ରୀଡ଼ାରେ ହକି, ଭଲିବଲ୍, ଟେବୁଲ୍ ଟେନିସ୍ ଏବଂ ସ୍କ୍ୱାସ୍‌ରେ ମଧ୍ୟ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖିବାକୁ ମିଳିଥିଲା।