ନୂଆଦିଲ୍ଲୀ ,୧୮ /୧୧-; ଗୁଜରାଟର ଅରାବଳୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ସହକାରୀ ସବ୍-ଇନ୍ସପେକ୍ଟର ଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ କାର୍ ଭିତରେ ରଖି ଜାଳିଦିଆଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଯୋଜନା କରାଯାଇଥିବାବେଳେ ଏହି ଘଟଣାରେ ଜଣେ ମହିଳା ହେଡ୍ କନଷ୍ଟେବଳଙ୍କ ସମେତ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ଗିରଫ ମହିଳା ହେଡ୍ କନଷ୍ଟେବଳଙ୍କ ନାମ ଅଲ୍ଫାବେନ୍ କେଲାସୱା (୩୭)। ତାଙ୍କର ୪୫ ବର୍ଷୀୟ ASI ଅଶ୍ୱିନଭାଇ ତବିୟାଡଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟ ପଡ଼ୋଶୀ ସାବରକାଣ୍ଠା ଜିଲ୍ଲାର ଚିଠୋଡା ପୋଲିସ ଷ୍ଟେସନରେ ଏକାଠି କାମ କରୁଥିଲେ।

କେମିତି ସାମ୍ନାକୁ ଆସିଲା ହତ୍ୟାକାଣ୍ଡ?ନଭେମ୍ବର ୧୦ ତାରିଖରେ ଅରାବଳୀ ଜିଲ୍ଲାର ଭିଲୋଡା ଅଞ୍ଚଳରେ ଏକ ସମ୍ପୂର୍ଣ୍ଣ ଜଳିଯାଇଥିବା ମାରୁତି ଏର୍ଟିଗା କାର୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ଏକ ଦଗ୍ଧ ମାନବ କଙ୍କାଳ ଉଦ୍ଧାର କରିଥିଲା।

ପ୍ରଥମେ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଭାବେ ରୁଜୁ କରିଥିଲା। ଅନ୍ୟପଟେ ମୃତ ଅଶ୍ୱିନଙ୍କ ପରିବାର ଲୋକେ କଙ୍କାଳଟି ତାଙ୍କର ବୋଲି ସନ୍ଦେହ କରିଥିଲେ। ପରେ ମୃତକଙ୍କ ଭାଇ ସିଦ୍ଧରାଜ ତବିୟାଡଙ୍କ ଔପଚାରିକ ଅଭିଯୋଗ ପରେ ନଭେମ୍ବର ୧୬ ତାରିଖରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପ୍ରେମ ସମ୍ପର୍କରେ ଫାଟରୁ ହତ୍ୟା ଅଭିଯୋଗ

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟକ୍ତିଗତ ବିବାଦ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ। ଅଲ୍ଫାବେନ୍ ଅଶ୍ୱିନଙ୍କ ସହ ସମ୍ପର୍କ ଶେଷ କରିବାକୁ ଚାହୁଁଥିବା ବେଳେ ଅଶ୍ୱିନ ଏହି ସମ୍ପର୍କ ଜାରି ରଖିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି।

ନଭେମ୍ବର ୮ ତାରିଖ ରାତିରେ ଅଲ୍ଫାବେନ୍ ଅଶ୍ୱିନଙ୍କୁ ଚିଠୋଡାସ୍ଥିତ ନିଜ ଭଡ଼ା ଘରକୁ ଡାକିଥିଲେ। ଅଶ୍ୱିନ ସେଠାରେ ରାତିରେ ରହିଥିଲେ। ପୋଲିସର ଅଭିଯୋଗ ଅନୁଯାୟୀ, ସେହି ସମୟରେ ଅଲ୍ଫାବେନ୍ ତାଙ୍କୁ ହତ୍ୟା କରିଥିଲେ।

ଭାଇ ଓ ସମ୍ପର୍କୀୟଙ୍କ ସହାୟତାରେ ମୃତଦେହ ଲୁଚାଇଲେ

ପରଦିନ ସକାଳେ ଅଲ୍ଫାବେନ୍ ନିଜ ୩୬ ବର୍ଷୀୟ ଭାଇ କଲ୍ପେଶଭାଇ କେଲାସୱାଙ୍କୁ ଫୋନ୍ କରି ସହାୟତା ମାଗିଥିଲେ। କଲ୍ପେଶ ନିଜ ୨୮ ବର୍ଷୀୟ ସମ୍ପର୍କୀୟ ପଙ୍କଜକୁମାର କେଲାସୱାଙ୍କ ସହ ଏକ ମାରୁତି ଇକୋ କାର୍ରେ ସେଠାରେ ପହଞ୍ଚିଥିଲେ।

ଏହାପରେ ତିନିଜଣ ମିଶି ଅଶ୍ୱିନଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଘର ଭିତରେ ଲୁଚାଇ ରଖିଥିଲେ। ପରେ ପଙ୍କଜ ଅଶ୍ୱିନଙ୍କ ଏର୍ଟିଗା କାର୍କୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇଥିଲେ। ଅନ୍ୟପଟେ ଅଲ୍ଫାବେନ୍ ଓ କଲ୍ପେଶ ଇକୋ କାର୍ରେ ତାଙ୍କ ପଛେ ପଛେ ଯାଇଥିଲେ।

ରାତିରେ କଲ୍ପେଶ ନିଜ ୩୩ ବର୍ଷୀୟ ବନ୍ଧୁ ମନୋଜକୁମାର ନିନାମାଙ୍କ ସହ ବିଜୟନଗରର ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣିଥିଲେ। ଏହାପରେ ସମସ୍ତେ ମିଶି ମୃତଦେହ ଥିବା ବସ୍ତାକୁ ଅଶ୍ୱିନଙ୍କ ଏର୍ଟିଗା କାର୍କୁ ସ୍ଥାନାନ୍ତର କରିଥିଲେ। ପରେ କାର୍ଟିକୁ ହାଥମତୀ ନଦୀ ନିକଟକୁ ନେଇଥିଲେ।

ସେଠାରେ ଅଲ୍ଫାବେନ୍, କଲ୍ପେଶ ଓ ମନୋଜ ମିଶି ମୃତଦେହ ଏବଂ କାର୍ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ପୋଲିସ କହିଛି। ତେବେ ନିଆଁ ହଠାତ୍ ଜୋରରେ ବ୍ୟାପିଯିବାରୁ ଅଲ୍ଫାବେନଙ୍କ ମୁହଁ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଆଘାତ ଲାଗିଥିଲା। ପରେ ସେ ଏଥିପାଇଁ ଡାକ୍ତରୀ ଚିକିତ୍ସା ମଧ୍ୟ କରାଇଥିଲେ।

read also - ଦିନ ଦ୍ୱିପ୍ରହରରେ ୪୦ କୋଟି ଟଙ୍କାର ଅଳଙ୍କାର ଲୁଟ୍, କ୍ୟାମେରାରେ କଏଦ ହେଲା ଲୁଟେରାଙ୍କ ଦବଙ୍ଗଗିରି

CCTV ଫୁଟେଜ୍ ଓ DNA ପରୀକ୍ଷାରୁ ମିଳିଲା ସୁରାକ୍

ଅରାବଳୀ ଜିଲ୍ଲାର ପୋଲିସ ଅଧୀକ୍ଷକ ମନୋହରସିଂହ ଜାଡେଜାଙ୍କ କହିବା ଅନୁଯାୟୀ, ପୋଲିସ ଟିମ୍ CCTV ଫୁଟେଜ୍, ବୈଷୟିକ ତଥ୍ୟର ଯାଞ୍ଚ ଏବଂ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ମାମଲାର ପର୍ଦ୍ଦାଫାସ କରିଥିଲା।ଉଦ୍ଧାର ହୋଇଥିବା କଙ୍କାଳଟି ଅଶ୍ୱିନଙ୍କର କି ନୁହେଁ, ତାହା ନିଶ୍ଚିତ କରିବା ପାଇଁ ପୋଲିସ କଙ୍କାଳ ଏବଂ ଅଶ୍ୱିନଙ୍କ ବାପାଙ୍କ DNA ନମୁନା ସଂଗ୍ରହ କରିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅଲ୍ଫାବେନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା। ଏହା ସହ ଅନ୍ୟ ତିନିଜଣଙ୍କୁ ଅଟକ ରଖି ଜେରା କରାଯାଇଥିଲା। ପୋଲିସର ଦାବି ଅନୁଯାୟୀ, ପଚରାଉଚରା ସମୟରେ ଚାରିଜଣ ଅଭିଯୁକ୍ତ ଅପରାଧରେ ସମ୍ପୃକ୍ତି ସ୍ୱୀକାର କରିଛନ୍ତି। ଏହି ଘଟଣାରେ ଅପରାଧ ପାଇଁ ବ୍ୟବହୃତ ମାରୁତି ଇକୋ କାର୍କୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।