ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ୨୦୨୭କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଲାଗି ରହିଛି। ରୋହିତ ଶର୍ମା ଦିନିକିଆ ବିଶ୍ଵକପ୍ ଖେଳିବେ କି ନାହିଁ ? ଏହି ପ୍ରଶ୍ନ ଯେମିତି କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଠିକ୍ ସେହିପରି ହାର୍ଦ୍ଦିକ ଆଗାମୀ ଆଇପିଏଲ୍ ସିଜିନରେ କେଉଁ ଟିମ ପକ୍ଷରୁ ଖେଳିବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠି ଆସିଛି। ଏହା ମଧ୍ୟରେ ଆସିଛି ବଡ଼ ଖବର। ପଞ୍ଜାବ କିଙ୍ଗ୍ସ ଯାଇ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ହଁ ଆଜ୍ଞା ଆପଣ ବିଲକୁଲ୍ ଠିକ ଶୁଣିଛନ୍ତି।

ହାର୍ଦ୍ଦିକଙ୍କୁ ଟ୍ରେଡ କରିବା ପାଇଁ ଦୌଡ଼ରେ ଅଚାନକ ପଞ୍ଜାବ ଫ୍ରାଞ୍ଚାଇଜର ଏଣ୍ଟ୍ରି ହୋଇଛି। ସୂତ୍ର ଅନୁଯାୟୀ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କ ଟ୍ରେଡ ଡିଲକୁ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ବଦଳରେ ଅର୍ଶଦୀପ ସିଂ ଓ ବିଷ୍ଣୁ ବିନୋଦ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ୍ ହୋଇ ପାରନ୍ତି।

Also Read: ଟିମ୍ ଇଣ୍ଡିଆକୁ ଫେରିବାକୁ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କରିବାକୁ ପଡ଼ିବ ଏସବୁ କାମ, ଅଧିନାୟକ ଗିଲ୍ କହିଲେ...

ସ୍ପୋର୍ଟ୍ସଷ୍ଟାର ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଅର୍ଶଦୀପ ସିଂ ଓ ବିଷ୍ଣୁ ବିନୋଦଙ୍କ ଟ୍ରେଡ କରିବା ନେଇ ପଞ୍ଜାବ ଓ ମୁମ୍ବାଇ ମ୍ୟାନେଜମେଣ୍ଟରେ ସହମତି ପ୍ରକାଶ ପାଇଛି। କୁହାଯାଉଛି, ପ୍ରଥମେ IPLର ଅଧିକାରୀ ଏହି ଟ୍ରେଡକୁ ମଞ୍ଜୁରୀ ଦେବେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ଟ୍ରେଡ ଡିଲକୁ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ।

ମୁମ୍ବାଇ ଦେଇଥିଲା ପ୍ରଥମ ପ୍ରସ୍ତାବ

ରିପୋର୍ଟ ମୁତାବକ ଏହି ଟ୍ରେଡ ଡିଲର ବିଚାର ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସିଥିଲା, ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଜଣେ ଦ୍ରୁତ ବୋଲରଙ୍କୁ ଟ୍ରେଡ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପରେ ହିଁ ପଞ୍ଜାବ ଫ୍ରାଞ୍ଜାଇଜ ସାମ୍ନାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରିବାର ବିକଳ୍ପ ଆସିଛି। ଏହାରି ବଦଳରେ ଅର୍ଶଦୀପ ସିଂ ଓ ବିଷ୍ଣୁ ବିନୋଦଙ୍କୁ ମୁମ୍ବାଇ ପଠାଯିବାର ଆଲୋଚନା ଚାଲିଛି।

Also Read: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଅଭିଷେକ-ସୂର୍ଯ୍ୟବଂଶୀ ଓପନର; ଏହି ଖେଳାଳି ହେଲେ ଅଧିନାୟକ

ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଟ୍ରେଡ କରିବା ପାଇଁ  ଏହା ପୂର୍ବରୁ ୩ ଅଲଗା ଅଲଗା ଫ୍ରାଞ୍ଜାଇଜ ସହିତ ଯୋଗାଯୋଗ କରିଥିଲା। ସେଥିରୁ କେବଳ କୋଲକାତା ନାଇଟ୍ ରାଇଡର୍ସ ହିଁ ଏକାକୀ ଫ୍ରାଞ୍ଜାଇଜ ଯାହା ସହ ଟ୍ରେଡ ଉପରେ ଆଲୋଚନା ଆଗକୁ କିଛିଟା ବଢିଥିଲା। ଏଥିରେ ହାର୍ଦ୍ଦିକଙ୍କ ବଦଳରେ ଏକାଧିକ ଖେଳାଳିଙ୍କ ଟ୍ରେଡ ଉପରେ ବିଚାର କରାଯାଇଥିଲା।

ପଞ୍ଜାବ ଫ୍ରାଞ୍ଜାଇଜରେ ହଲଚଲ

ଯଦି ଅର୍ଶଦୀପ ସିଂ ପଞ୍ଜାବ କିଙ୍ଗ୍ସରୁ ଚାଲିଯିବେ, ତେବେ ଦଳରେ ଏକ ବାମହାତୀ ଦ୍ରୁତ ବୋଲର ଖାଲି ହୋଯିବ। ଏମିତିରେ PBKSର ଲକ୍ଷ୍ନୌ ସୁପର ଜାଏଣ୍ଟସ ସହିତ ଆଉ ଏକ ଟ୍ରେଡ ଡିଲ୍ ହେବାର ସମ୍ଭାବନା ରହିଛି। ଏଥିରେ ମୋହସିନ ଖାନ ଏବଂ ମାର୍କସ ଷ୍ଟୋଇନିସଙ୍କ ଅଦଳ ବଦଳ ସମ୍ଭବ ରହିଛି। ଏଥିପାଇଁ ଷ୍ଟୋଇନିସଙ୍କୁ ଲକ୍ଷ୍ନୌକୁ ଦେବାକୁ ରାଜି PBKS, କାରଣ ହାର୍ଦ୍ଦିକ ଆସିଲେ ଦଳରେ ଷ୍ଟୋଇନିସଙ୍କ ଗୁରୁତ୍ଵ କମିଯିବ। ଆଉ ମୋହସିନ ଖାନଙ୍କ ରୂପେ ପଞ୍ଜାବକୁ ଜଣେ ବାମହାତୀ ଦ୍ରୁତ ବୋଲର ମଧ୍ୟ ମିଳିଯିବ।

Also Read: 'ଭୁବନେଶ୍ୱର କୁମାରଙ୍କୁ ଖେଳାଇ ବିସିସିଆଇ ଭୁଲ କରିଛି' : ସିଲେକ୍ସନକୁ ନେଇ କଟାକ୍ଷ କଲେ ପୂର୍ବତନ ଅଲରାଉଣ୍ଡର

ଉଲ୍ଲେଖନୀୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ୧୬.୩୫ କୋଟିରେ ରିଟେନ କରିଥିଲା। ଅନ୍ୟପଟେ ଅର୍ଶଦୀପ ସିଂଙ୍କୁ ପଞ୍ଜାବରୁ ୧୮ କୋଟି ଟଙ୍କା ମିଳିଥିଲା। ଏହା ଦେଖିବା ରୋଚକ ହେବ ଯେ, ଦୁହେଁ ନୂଆ ଟିମରେ ସାମିଲ୍ ହୁଅନ୍ତି ତେବେ କେତେ ଟଙ୍କା ମିଳିବ।