ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ଵକପକୁ ଆଉ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ଏବେଠୁ ପ୍ରମୁଖ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଟିମ୍ ଇଣ୍ଡିଆ ମଧ୍ୟ ବିଶ୍ଵକପ୍ ଯୋଜନାକୁ ତ୍ଵରାନ୍ଵିତ କରିବା ଉପରେ ଗୁରୁତ୍ଵ ଦେଇଛି। ହେଲେ ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଚିନ୍ତାର ବିଷୟ ପାଲଟିଛି। କେବେ ମଇଦାନକୁ ଫେରିବେ ପାଣ୍ଡ୍ୟା ତାହା ଏବେଠୁ କହିବା ମୁସ୍କିଲ। ଏହି ଷ୍ଟାର ଅଲରାଉଣ୍ଡର ଭାରତୀୟ ଟିମର ଜଣେ ପ୍ରମୁଖ ଖେଳାଳି। ପାଣ୍ଡ୍ୟାଙ୍କୁ ନେଇ ଅଧିନାୟକ ଶୁଭମନ ଗିଲ୍ ବଡ଼ ବୟାନ ଦେଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିଲ୍ କହିଛନ୍ତି, ହାର୍ଦ୍ଦିକଙ୍କୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ନିଜକୁ ଫିଟ୍ ରଖିବାକୁ ପଡ଼ିବ। ହାର୍ଦ୍ଦିକ ଜଣେ ଚମତ୍କାର ଅଲରାଉଣ୍ଡର। ଏମିତି କୁଶଳ ଖେଳାଳି ଦୁନିଆରେ କମ୍ ମିଳନ୍ତି। ଆପଣ ତାଙ୍କୁ ମ୍ୟାଚରେ ଅନେକ ପରିସ୍ଥିତିରେ ବୋଲିଂ କରାଇ ପାରିବେ। ସେ ନୂଆ ଏବଂ ପୁରୁଣା ବଲରେ ଶାଣିତ ବୋଲିଂ କରିବାରେ ସିଦ୍ଧହସ୍ତ। ତାଙ୍କ ସହିତ ମୁଁ ବହୁତ ଆଲୋଚନା କରିଛି। ହେଲେ ଦୁର୍ଭାଗ୍ୟଜନକ ସେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି।

Also Read: ଅବସର ନେଲେ ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ

ଅଧିନାୟକ ଶୁଭମନ ଗିଲ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ହାର୍ଦ୍ଦିକଙ୍କୁ ଘରୋଇ କ୍ରିକେଟରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ସେ ଆଇପିଏଲ୍ ୨୦୨୬ରୁ କୌଣସି କ୍ରିକେଟ୍ ଖେଳି ନାହାନ୍ତି। ଆଶା କରୁଛୁ ସେ ଶୀଘ୍ର ପଡ଼ିଆକୁ ଫେରିବା ସହ ବ୍ଲୁ ଜର୍ସିରେ ନଜର ଆସିବେ। ଏଥିପାଇଁ ହାର୍ଦ୍ଦିକଙ୍କୁ କିଛି ସମୟ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ ବୋଲି ଭାରତୀୟ ଅଧିନାୟକ କହିଛନ୍ତି।

ଉଲ୍ଲେଖନୀୟ ଭାରତର ଘରୋଇ କ୍ରିକେଟ୍ ସିଜିନ ଆରମ୍ଭ ହୋଇ ସାରିଛି। ବର୍ତ୍ତମାନ ରଣଜୀ ଟ୍ରଫି ଖେଳାଯାଉଛି। ହେଲେ ହାର୍ଦ୍ଦିକ ରେଡ୍ ବଲ୍ ଖେଳୁ ନ ଥିବାରୁ ଗିଲଙ୍କ ଅନୁସାରେ ହାର୍ଦ୍ଦିକଙ୍କୁ ବିଜୟ ହଜାରେ ଟ୍ରଫି ଏବଂ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳି ନିଜକୁ ସାବ୍ୟସ୍ତ କରିବାକୁ ପଡ଼ିବ। ଲିଷ୍ଟ ଏ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଡିସେମ୍ବର ୧୪ରୁ ଆରମ୍ଭ ହେଉଛି।

Also Read: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଅଭିଷେକ-ସୂର୍ଯ୍ୟବଂଶୀ ଓପନର; ଏହି ଖେଳାଳି ହେଲେ ଅଧିନାୟକ

ଅନ୍ୟପଟେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ନୀତିଶ କୁମାର ରେଡ୍ଡୀ ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ଆଗକୁ ଆସିଛନ୍ତି। ତାଙ୍କୁ ତିନୋଟି ଫର୍ମାଟରେ ଖେଳିବାର ସୁଯୋଗ ମିଳୁଛି। ନୀତିଶ ବ୍ୟାଟିଂ ଏବଂ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ହାର୍ଦ୍ଦିକଙ୍କ ପାଇଁ ଭାରତୀୟ ଦଳରେ ନିଜର ସ୍ଥାନ ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ଦିନିକିଆ ସିରିଜରୁ ବାହାର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ ଏ ଟିମରେ ଜାଗା ମିଳିଥିଲା। ମାତ୍ର ସଂପୂର୍ଣ୍ଣ ଭାବେ ଫିଟ୍ ନ ଥିବା କାରଣରୁ ତାଙ୍କୁ ସିରିଜରୁ ବାଦ୍ ଦିଆଯାଇଛି। ଆହତ କାରଣରୁ ହାର୍ଦ୍ଦିକ ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳି ପାରିବେ ନାହିଁ।