କଟକ ୩୧।୧୦: କଟକ ଐତିହାସିକ ବାଲିଯାତ୍ରା ପାଇଁ ଆଜି ପ୍ଲଟ ବୁକିଂର ଅବଧି ଶେଷ ହୋଇଛି। ହେଲେ ତାହା ବିବାଦ ମୁକ୍ତ ଭାବେ ସମ୍ପର୍ଣ୍ଣ ହୋଇପାରିଲା ନାହିଁ। ୭୪ ବର୍ଷୀୟ ପୁରୁଖା ବ୍ୟବସାୟୀ ହମିଦ ଖାନ। ୩ ପିଢ଼ି ଧରି ବାଲିଯାତ୍ରାରେ ବେପାର କରି ଆସୁଛନ୍ତି। ହେଲେ ଯାତ୍ରା ଆୟୋଜନ ଲାଗି ପ୍ରଶାସନ ଯେଭଳି ବ୍ୟବସ୍ଥା ଆପଣେଇଛି, ତାହା ସେମାନଙ୍କ ଭଳି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ନିରାଶ କରିଛି। ହମିଦ ଖାନଙ୍କ ମତରେ ସରକାରୀ ଭାବେ ଯାତ୍ରା ଆୟୋଜନ ହେଉଛି ମାନେ,ସ୍ବଳ୍ପ ଦରରେ ପ୍ଲଟ ମିଳିବା କଥା, ହେଲେ ପ୍ରଶାସନ ଏବେ ମୁନାଫା କମାଇବାରେ ବ୍ୟସ୍ତ।

ଆଜି ପ୍ଲଟ ବୁକିଂର ଶେଷ ଦିନ ଥିଲା।କିଛି ଆଶାୟୀ ବ୍ୟବସାୟୀ ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନକୁ ଆସିଥିଲେ। ହେଲେ ଆବଶ୍ୟକ ମୁତାବକ ପ୍ଲଟ ଏବେ ଆଉ ନଥିବା ସେମାନେ ଅନୁଭବ କରିଛନ୍ତି। ଇଣ୍ଟରନେଟ ଜରିଆରେ ସର୍ଚ୍ଚ କଲେ ପ୍ଲଟ ନଥିବା ସୋ’ କରୁଛି। ଶୁକ୍ରବାର ଏ ନେଇ ହୋହଲ୍ଲା ହେବା ପରେ କିଛି ପ୍ଲଟ ବୁକିଂ ପାଇଁ ରିଲିଜ କରାଗଲା। କିନ୍ତୁ ପ୍ଲଟ ବୁକିଂକୁ ନେଇ ଏଭଳି ଲୁଚକାଳି ଖେଳ କାହିଁକି ଚାଲିଛି ବୋଲି କିଛି ଯୁବ ଉଦ୍ୟୋଗୀ ପ୍ରଶ୍ନ କରିଛନ୍ତି ।

Also Read:-ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ଏଥର ଉଭୟ ତଳ ଏବଂ ଉପର ପଡିଆରେ ହେବ ବାଲିଯାତ୍ରା। ମୋଟ ୪ ଲକ୍ଷ ୧୧ ହଜାର ସ୍କୋୟାର ଫୁଟରେ ବାଲିଯାତ୍ରା ଆୟୋଜନ ପାଇଁ ଜାଗା ଚୟନ ହୋଇଛି। ସେହି ସ୍ଥାନ ଭିତରେ ରହିବ ୧୪ ଶହ ୫୨ ଟି ପ୍ଲଟ। ତେବେ କେତେ ପ୍ଲଟ ଅକ୍ସନ ହେବ, କେତେ ସଂରକ୍ଷିତ ହୋଇ ରହିବ ଏବଂ କେଉଁ କାରଣରୁ ପ୍ଲଟ ଗୁଡିକୁ ସଂରକ୍ଷିତ ରଖାଯିବ, ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ହେଲେ କଟକ ଜିଲ୍ଲା ପ୍ରଶାସନ ସଫେଇ ଦେଇଛି, ପ୍ଲଟ ବୁକିଂ କାର୍ଯ୍ୟ ଖୁବ ଉତ୍ସାହଜନକ ଭାବେ ହୋଇଛି ଏବଂ କୌଣସି ପ୍ରକାରର ବିବାଦ ବା ବ୍ୟତିକ୍ରମ ଦେଖିବାକୁ ମିଳିନି।